ମୁମ୍ବାଇ: ‌ଭାରତର ବି‌ଦେଶୀ ମୁଦ୍ରା ଭଣ୍ଡାର ପୁଣି ନିମ୍ନମୁଖୀ ହୋଇଛି। ଜାନୁଆରି ୧୦ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଏହା ୬୨୫.୮୭୧ ବିଲିଅନ ଡଲାର ସ୍ତରକୁ କମିଯାଇଛି। ଜାନୁଆରି ୩ରୁ ୧୦ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୮.୭୧୪ ବିଲିଅନ ଡଲାରର ହ୍ରାସ ଦେଖାଦେଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଗତବର୍ଷ ସେପ୍ଟେମ୍ବର ୨୭ ତାରିଖ ବେଳକୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୭୦୪.୮୮୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତା’ପରଠାରୁ ଏହା କମିବାରେ ଲାଗିଛି। ଗତ ପ୍ରାୟ ସାଢ଼େ ୩ ମାସ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୭୯.୦୧୪ ବିଲିଅନ ଡଲାରର ହ୍ରାସ ଘଟିଛି। ବି‌ଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବହୁମାତ୍ରାରେ ଦୁର୍ବଳ‌ ହେବାରେ ଲାଗିଛି। ତେଣୁ ଟଙ୍କା ମୂଲ୍ୟରେ ସ୍ଥିରତା ପାଇଁ ରିଜର୍ଭ ବ୍ୟାଙ୍କକୁ ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ବିଦେଶୀ ମୁଦ୍ରାକୁ ବାହାର କରିବାକୁ ପଡ଼ୁଛି। ଏହା ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସର ଏହା ଏକ ବଡ଼ କାରଣ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ତଥ୍ୟରୁ ଜଣାଯାଇଛି ଯେ ଜାନୁଆରି ୧୦ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ପରିସଂପତ୍ତିରେ ୯.୪୬୯ ବିଲିଅନ ଡଲାର ହ୍ରାସ ଘଟି ୫୩୬.୦୧୧ ବିଲିଅନ ଡଲାର ରହିଛି। 

Advertisment

ଭାରତୀୟ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ଅଣ ଆମେରିକୀୟ ମୁଦ୍ରା ଯଥା ୟୁରୋ, ପାଉଣ୍ଡ୍‌ ଏବଂ ୟେନ୍‌ ଆଦିର ମୂଲ୍ୟରେ ହେଉଥିବା ହ୍ରାସବୃଦ୍ଧିର ରାଶିକୁ ବୈଦେଶିକ ମୁଦ୍ରା ପରିସଂପତ୍ତି କୁହାଯାଇଥାଏ। କିନ୍ତୁ ଆଲୋଚ୍ୟ ସପ୍ତାହରେ ମହଜୁଦ ଥିବା ସୁନାରେ ୭୯୨ ନିୟୁତ ଡଲାର ବୃଦ୍ଧି ଘଟି ୬୭.୮୮୩ ବିଲିଅନ ଡଲାର ରହିଛି। କିନ୍ତୁ ସ୍ପେସାଲ ଡ୍ରଇଂ ରାଇଟ୍‌ସ (ଏସ୍‌ଡିଆର୍‌)ରେ ୩୩ ନିୟୁତ ଡଲାର ହ୍ରାସ ଘଟି ତାହା ୧୭.୭୮୧ ବିଲିଅନ ଡଲାରକୁ ଖସିଆସିଛି। ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଥିବା ମୁଦ୍ରାରେ ୪ ନିୟୁତ ଡଲାର ହ୍ରାସ ଘଟି ୪.୧୯୫ ବିଲିଅନ ଡଲାର ରହିଛି।