୫ ସପ୍ତାହ ହେଲା ଖସୁଛି ବିଦେଶୀ ମୁଦ୍ରା ଭଣ୍ଡାର

ମୁମ୍ବାଇ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ୫ ସପ୍ତାହ ହେଲା କମିବାରେ ଲାଗିଛି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଏପ୍ରିଲ ୮ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୨.୪୭ ବିଲିଅନ ଡଲାର ହ୍ରାସ ଘଟି ୬୦୦.୦୦୪ ବିଲିଅନ ଡଲାରରେ ରହିଛି। ୟୁକ୍ରେନ ଉପରେ ରୁଷ୍‌ର ସାମରିକ ଆକ୍ରମଣ ଯୋଗୁ ବିଶ୍ବରେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଉପରେ ଅଛି। ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେଉଛି। ବିନିମୟ ମୂଲ୍ୟକୁ ବଜାୟ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ହସ୍ତକ୍ଷେପ କାରଣରୁ ମୁଦ୍ରା ଭଣ୍ଡାର ଖସୁଥିବା କୁହାଯାଉଛି। କିନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସର କାରଣ ସଂପର୍କରେ କିଛି କୁହାଯାଇନାହିଁ।

ଗତ ୫ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୩୦ ବିଲିଅନ ଡଲାର କମିଗଲାଣି। ଏପ୍ରିଲ ୧ ତାରିଖରେ ଶେଷ ହୋଇଥିବା ସପ୍ତା‌ହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୧୧.୧୭ ବିଲିଅନ ଡଲାର ହ୍ରାସ ଘଟିଥିଲା। ୨୦୨୧ ସେପ୍ଟେମ୍ବର ୩ରେ ‌ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବାଧିକ ୬୪୨.୪୫୩ ବିଲିଅନ ଡଲାରରେ ପହଞ୍ଚିଥିଲା। ତା ପରଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ପାଖାପାଖି ୪୦ ବିଲିଅନ ଡଲାର ବା ୬ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତେବେ ୬୦୦ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଅତିକମରେ ଦେଶର ୧୨ ମାସର ଆମଦାନି ବିଲ୍‌ ବାବଦ ଦେୟ ପ୍ରଦାନ କରିବାକୁ ସମର୍ଥ। ଆଗାମୀ ଦିନରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ କଠୋର ମୁଦ୍ରାନୀତି ଆପଣାଇଲେ ବିଦେଶୀ ମୁଦ୍ରା ଭଣ୍ଡାର ଆହୁରି କମିପାରେ।

ସମ୍ବନ୍ଧିତ ଖବର