ମାସକ ପରେ ବଢ଼ିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ : ବିଦେଶୀ ନିବେଶକମାନେ ଲଗାତାର ଭାବେ ଭାରତୀୟ ଷ୍ଟକ ବଜାରରୁ ପାଣ୍ଠି ପ୍ରତ୍ୟାହାର କରିବା ଯୋଗୁଁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ପରିମାଣ ହ୍ରାସ ପାଉଥିଲା। ଚାରି ସପ୍ତାହ ପରେ ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଜୁଲାଇ ୨୯ ସୁଦ୍ଧା ଶେଷ ସପ୍ତାହରେ ସେଥିରେ ୨୪୦ କୋଟି ଡଲାର ଯୋଡ଼ି ହୋଇଛି। ଫଳରେ ଭଣ୍ଡାରରେ ଥିବା ମୋଟ ବିଦେଶୀ ମୁଦ୍ରା ମୂଲ୍ୟ ୫୭,୩୯୦ କୋଟି ଡଲାରରୁ ଅଧିକ ହୋଇଛି।

ନିକଟରେ ବିଶ୍ବର ପ୍ରାୟ ସବୁ ଦେଶର ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ହୋଇଛି। ଏହାର ପ୍ରଭାବରେ ଭାରତୀୟ ମୁଦ୍ରା ଏହାର ସବୁଠୁ ଦୁର୍ବଳ ସ୍ତରରେ ପହଞ୍ଚିଥିଲା। ଏକ ଡଲାର ମୂଲ୍ୟ ୮୦ ଟଙ୍କା ୬ ପଇସା ହୋଇଯାଇଥିଲା। ଟଙ୍କାକୁ ସୁରକ୍ଷା ଦେବା ଲାଗି ନିଜ ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରାକୁ ରିଜର୍ଭ ବ୍ୟାଙ୍କ ବାହାର କରି ବଜାରରେ ଉପଲବ୍ଧ କରିଥିଲା। ଫଳରେ ଟଙ୍କା ମୂଲ୍ୟରେ ସୁଧାର ଘଟିଥିଲା। ଗତବର୍ଷ ଅକ୍ଟୋବର-ନ‌ଭେମ୍ବର ବେଳକୁ ବିଦେଶୀ ମୁଦ୍ରା ଭଣ୍ଡାରରେ ୬୦,୦୦୦ କୋଟି ଡଲାରର ମୁଦ୍ରା ଥିଲା। ମାତ୍ର ଟଙ୍କାକୁ ସୁରକ୍ଷା ଦେବା ଲାଗି ସେଥିରୁ ଡଲାର ବାହାର କରାଯିବାରୁ ଭଣ୍ଡାର ଧୀରେ ଧୀରେ ସଙ୍କୁଚିତ ହୋଇଥିଲା। ଅନ୍ୟ ପକ୍ଷରେ ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ମୁହଁ ଫେରାଇବା ଯୋଗୁଁ ବିଦେଶୀ ମୁଦ୍ରା ଆସିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଅବଶ୍ୟ, କିଛି ଦିନ ପୂର୍ବେ ଏହି ଧାରାରେ ବ୍ରେକ୍ ଲାଗିଛି। ଜୁଲାଇ ମାସର ଶେଷ ସପ୍ତାହରେ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ୫୦୦୦ କୋଟି ଟଙ୍କା ନିବେଶ କରିଛନ୍ତି।

ସମ୍ବନ୍ଧିତ ଖବର