ବିଦେଶୀ ମୁଦ୍ରା ଭଣ୍ଡାର: ରୁଷିଆକୁ ଟପିଲା ଭାରତ, ବିଶ୍ବରେ ଚତୁର୍ଥ ବୃହତ୍‌

ଦେଢ଼ ବର୍ଷ ପର୍ଯ୍ୟନ୍ତ ଆମଦାନି ବିଲ୍‌ ଦେଇହେବ

ନୂଆଦିଲ୍ଲୀ: ଅଧିକ ପରିମାଣର ବିଦେଶୀ ମୁଦ୍ରା ଭଣ୍ଡାର ଗଚ୍ଛିତ ରଖିବା କ୍ଷେତ୍ରରେ ଭାରତ ଏବେ ବିଶ୍ବରେ ଚତୁର୍ଥ ସ୍ଥାନ ହାସଲ କରିଛି। ରୁଷିଆକୁ ଟପି ଭାରତ ଏହି ସ୍ଥାନରେ ପହଞ୍ଚିଛି। ବିଶ୍ବରେ ଅଧିକ ବିଦେଶୀ ମୁଦ୍ରା ଗଚ୍ଛିତ ରଖିବା କ୍ଷେତ୍ରରେ ପ୍ରଥମ ସ୍ଥାନରେ ଚୀନ୍ ଥିବାବେଳେ ଦ୍ବିତୀୟ ସ୍ଥାନରେ ଜାପାନ ଏବଂ ତୃତୀୟ ସ୍ଥାନରେ ସୁଇଜରଲାଣ୍ଡ ରହିଛି‌ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିପୋର୍ଟ ଆଧାରରେ କୁହାଯାଇଛି। ବିଦେଶୀ ମୁଦ୍ରା ବଜାରରେ ଯଦି ହଠାତ୍ ଡଲାରର ବହିର୍ଗମନ ହୁଏ ତାହାର ପ୍ରଭାବରୁ ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ପରିମାଣର ବିଦେଶୀ ମୁଦ୍ରା ଗଚ୍ଛିତ ରଖିବା ଉପରେ ଗୁରୁତ୍ବ ଦେଉଛି।

ଏହାଫଳରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତିରେ ଉନ୍ନତି ଘଟିଥିବା କୁହାଯାଉଛି। ବ୍ଲୁମବର୍ଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ରୁଷିଆ ଏବଂ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଦୀର୍ଘମାସ ଧରି ବୃଦ୍ଧି ପାଇବା ପରେ ଏବେ ଏଥିରେ ସୁଧାର ଆସିଛି। କିନ୍ତୁ ଗତ କିଛି ସପ୍ତାହ ହେଲା ଦୁଇ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ନିମ୍ନମୁଖୀ ହୋଇଛି। ବଡ଼ କଥା ହେଉଛି ଭାରତ ତୁଳନାରେ ରୁଷିଆର ବିଦେଶୀ ମୁଦ୍ରା ଭଣ୍ଡାର ଅଧିକ ମାତ୍ରାରେ ତଳକୁ ଖସିଛି। ଏଥିଯୋଗୁ ରୁଷିଆକୁ ଭାରତ ଟପି ଚତୁର୍ଥ ସ୍ଥାନ‌ରେ ରହିଛି। ମାର୍ଚ୍ଚ ୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪.୩ ବିଲିଅନ ଡଲାର ହ୍ରାସ ପାଇ ୫୮୦.୩ ବିଲିଅନ ଡଲାରରେ ରହିଛି। କିନ୍ତୁ ଅନ୍ୟପକ୍ଷରେ ରୁଷିଆ ନିକଟରେ ୫୮୦.୧ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି।

ଭାରତ ନିକଟରେ ଏବେ ଯେତିକି ବିଦେଶୀ ମୁଦ୍ରା ରହିଛି ତାହା ଦେଶ ପାଇଁ ୧୮ ମାସର ଆମଦାନି ବିଲ୍‌ ପଇଠ କରିବାରେ ସକ୍ଷମ ହେବ। ଭାରତୀୟ ଷ୍ଟକ୍‌ ବଜାରରେ ନିବେଶ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଦି କାରଣ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଆଶ୍ବାସନାର ବିଷୟ ହୋଇଛି। ବିଶ୍ଳେଷକଙ୍କ କହିବାନୁଯାୟୀ, ଭାରତର ବିତ୍ତୀୟ ସ୍ଥିତି ଖରାପ ହେଉଛି। ଏଥିସହିତ ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ଜିଡିପି ଅଭିବୃଦ୍ଧି ସଂକୁଚିତ ହେବ। କିନ୍ତୁ ଭାରତ ନିକଟରେ ଅଧିକ ପରିମାଣର ବିଦେଶୀ ମୁଦ୍ରା ଗଚ୍ଛିତ ରହିବା ଫଳରେ ବିଦେଶୀ ନିବେଶକ ଓ କ୍ରେଡିଟ ରେଟିଂ ଏଜେନ୍ସି ଗୁଡ଼ିକ ସେତେ‌ଟା ଚିନ୍ତିତ ହେବେନାହିଁ। ଗତବର୍ଷ ଭାରତ ସ୍ପଟ ଫରେକ୍ସ ମାର୍କେଟରୁ ନିଟ୍‌ ୮୮ ବିଲିଅନ ଡଲାର ମୂଲ୍ୟର ବିଦେଶୀ ମୁଦ୍ରା କ୍ରୟ କରିଛି। ଏଥିଯୋଗୁ ଭାରତ ଆମେରିକାର କଡ଼ା ନଜରରେ ରହିଥିଲା। ଏହାସତ୍ତ୍ବେ ବିଶ୍ବର ପ୍ରମୁଖ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରଗୁଡ଼ିକ ବିଦେଶୀ ମୁଦ୍ରାଭଣ୍ଡାରକୁ ସମୃଦ୍ଧ କରିବାର ଆବଶ୍ୟକତା ରହିଛି ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମତ ଦେଇଥିଲେ।

ସମ୍ବନ୍ଧିତ ଖବର