ଏଲ୍ଆଇସିକୁ ଆସିବ ବିଦେଶୀ ନିବେଶ: ପେନ୍ସନ୍ ଫଣ୍ଡ୍, ବୀମା କଂପାନି ନିବେଶ କରିପାରିବେ
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଂଶଧନକୁ ଷ୍ଟକ ବଜାରରେ ବିକ୍ରି କରିବା ବେଳେ ସେଥିରେ ବିଦେଶୀ ନିବେଶକମାନଙ୍କୁ ନିବେଶ କରିବା ଲାଗି ଅନୁମତି ଦେବା ଉପରେ ସରକାର ବିଚାର କରୁଛନ୍ତି। ଏହା ଜରିଆରେ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏଲ୍ଆଇସିକୁ ଷ୍ଟକ ବଜାରରେ ପଞ୍ଜୀକୃତ କରି ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଅଣାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଘୋଷଣା କରିଛନ୍ତି। ତେବେ ଏହି ଆଇପିଓରେ ବିଦେଶୀ ନିବେଶକଙ୍କୁ ଏକ ନିର୍ଦିଷ୍ଟ ପରିମାଣର ଅଂଶଧନ କିଣିବାର ଅନୁମତି ପ୍ରଦାନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁ ପ୍ରକାର ବିଦେଶୀ ନିବେଶକଙ୍କୁ ଏଲ୍ଆଇସି ଅଂଶଧନ କିଣିବାର ଅନୁମତି ଦିଆଯିବ ନାହିଁ। କେବଳ ବିଦେଶୀ ପେନ୍ସନ୍ ଫଣ୍ଡ୍ କିମ୍ବା ବୀମା କଂପାନିଙ୍କୁ ଏହି ଅନୁମତି ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଯଦି କୌଣସି ବିଦେଶୀ ନିବେଶକ କିମ୍ବା ସଂସ୍ଥା ଏକ ନିର୍ଦିଷ୍ଟ ସଂସ୍ଥାର ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଅଂଶଧନ କିଣନ୍ତି ତେବେ ତାହାକୁ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଭାବେ ବିଚାର କରାଯିବ। ଏଲ୍ଆଇସି ଅଂଶଧନ ବିକ୍ରିରେ ସହାୟତା ଦେବା ଲାଗି କିଛି ବ୍ୟାଙ୍କ ଆବେଦନ କରିଥିଲେ। ସରକାରଙ୍କୁ ସେମାନେ ନିଜର ଯୋଜନା ବିଷୟରେ ଗୁରୁବାର ଜଣାଇବେ। ଏଲ୍ଆଇସି ଏବେ ସରକାରଙ୍କ ୧୦୦% ମାଲିକାନାରେ ରହିଛି। ଏହାର କିଛି ଅଂଶଧନ ବିକ୍ରି କରି ସେଥିରୁ ଯେଉଁ ଆୟ ହେବ ତାହା ଜରିଆରେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ସରକାର ଯୋଜନା ରଖିଛି। ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୮% ମଧ୍ୟରେ ରଖିବାକୁ ସରକାର ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ବର୍ତ୍ତମାନ ଏଲ୍ଆଇସିର ପରିଚାଳନା ଅଧୀନ ସମ୍ପତ୍ତି ପରିମାଣ ଯେଉଁ ସ୍ତରରେ ରହିଛି ତାହା ବିଚାରକୁ ନେଲେ କଂପାନିର ଷ୍ଟକ ବଜାର ମୂଲ୍ୟ ୨୬,୧୦୦ କୋଟି ଡଲାର ହେବ ବୋଲଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭାରତୀୟ ବୀମା କଂପାନିରେ ୭୫% ଏଫ୍ଡିଆଇ ପାଇଁ ଅନୁମତି ମିଳିଥିବା ବେଳେ ଅଧିକାଂଶ ନିୟମ ଏଲ୍ଆଇସି ଉପରେ ଲାଗୁ ହେଉନାହିଁ। କାରଣ ଏହି ସଂସ୍ଥାକୁ ସଂସଦର ଏକ ସ୍ବତନ୍ତ୍ର ନିୟମ ଆଧାରରେ ସ୍ଥାପନ କରାଯାଇଛି। ଏଲ୍ଆଇସିକୁ ଷ୍ଟକ ବଜାରରେ ପଞ୍ଜୀକୃତ କରିବାରେ ସାହାର୍ଯ୍ୟ କରିବା ଲାଗି ବିଏନ୍ପି ପରିବାସ ଏସ୍ଏ, ସିଟି ଗ୍ରୁପ୍, ଗୋଲ୍ଡମ୍ୟାନ୍ ସଚ୍ସ ଗ୍ରୁପ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ଭଳି ସଂସ୍ଥା ଆଗ୍ରହ ପ୍ରକାଶ କରି ଆବେଦନ କରିଛନ୍ତି।