ଟିକସ ହ୍ରାସ ଆଣିବ ବିଦେଶୀ ନିବେଶ: ଶକ୍ତିକାନ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ନିକଟରେ ସରକାର ମାନ୍ଦାବସ୍ଥାର ମୁକାବିଲା ପାଇଁ ଘୋଷଣା କରିଥିବା କମ୍ପାନି ଟିକସ ହ୍ରାସକୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ସେ ଏହି ଅବସରରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଥିଯୋଗୁଁ ଭାରତ ବିଦେଶୀ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ପାଲଟିବ ଏବଂ ଦେଶରେ ପୁଞ୍ଜି ଖଟାଇବା ପାଇଁ ବିଦେଶୀ ନିବେଶକମାନେ ଆକୃଷ୍ଟ ହେବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ସରକାରଙ୍କ ବଳିଷ୍ଠ ଏବଂ ଅତ୍ୟନ୍ତ ଅନୁକୂଳ ପଦକ୍ଷେପ ଯୋଗୁ ଭାରତର କମ୍ପାନି ଟିକସ ଆସିଆନ୍ ଦେଶ ଗୁଡ଼ିକର ପ୍ରମୁଖ ଅର୍ଥନୀତି ସହ ପ୍ରତିଯୋଗିତାମୂଳକ ହୋଇ ପାରିଛି ବୋଲି ଶକ୍ତିକାନ୍ତ କହିଛନ୍ତି।ଆସନ୍ତା ମାସ ପହିଲାରେ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟିର ‌ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ରିଜର୍ଭ ବ୍ୟାଙ୍କ ରେପୋ ହାର ପରିବର୍ତ୍ତନ ସମ୍ପର୍କରେ ନିଷ୍ପତ୍ତି ନେବ। ତେଣୁ ଏହାର ଅବ୍ୟବହିତ ପୂର୍ବରୁ ଶକ୍ତିକାନ୍ତ ଆଜି କହିଛନ୍ତି, ଅନ୍ତର୍ଜାତୀୟ ନିବେଶ ଦୃଷ୍ଟିରୁ ଦେଖିଲେ ଭାରତ ନିଶ୍ଚିତଭାବେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ସ୍ଥାନରେ ରହିଛି। କେବଳ ବିଦେଶୀ ନିବେଶ ନୁହେଁ, ଘରୋଇ ନିବେଶକମାନେ ମଧ୍ୟ ଅଧିକ ପୁଞ୍ଜି ଖଟାଇବାକୁ ସମର୍ଥ ହେବେ। ଏପରିକି କେତେକ କମ୍ପାନି ସେମାନଙ୍କ ଆର୍ଥିକ ବୋଝରୁ ମୁକୁଳି ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ଶୁକ୍ରବାର ଅର୍ଥମନ୍ତ୍ରୀ କମ୍ପାନି ଟିକସକୁ ହ୍ରାସ ଘୋଷଣା କରିଥିଲେ। କଂପାନି ଟିକସକୁ ୩୦%ରୁ ୨୨%କୁ ହ୍ରାସ କରାଯାଇଥିଲା।

ସମ୍ବନ୍ଧିତ ଖବର