ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଭଳି ଏକ ଗମ୍ଭୀର ମୁହୂର୍ତରେ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାର ପ୍ରତି ନିଜର ଭରସା ବଜାୟ ରଖିଛନ୍ତି। ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ସେମାନେ ୧୪,୧୬୭ କୋଟି ଟଙ୍କାର ଭାରତୀୟ ସେୟାର କିଣିଛନ୍ତି। ଗତ ଏପ୍ରିଲ୍‌ରେ ସେମାନେ ୪,୨୨୩ କୋଟି ଟଙ୍କାର ସେୟାର କିଣିଥିଲେ। ଚଳିତ ବର୍ଷ ଆରମ୍ଭରୁ ଭାରତୀୟ ସେୟାରକୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ବିକ୍ରି କରୁଥିଲେ। 

Advertisment

ସେମାନେ ଜାନୁଆରିରେ ୮୭,୦୨୭ କୋଟି ଟଙ୍କା ଓ ଫେବ୍ରୁଆରିରେ ୩୪,୫୭୪ କୋଟି ଟଙ୍କାର ସେୟାର ବିକିଥିଲେ। ମାର୍ଚ୍ଚରେ ବିକ୍ରି ୩୯୭୩ କୋଟି ଟଙ୍କା ରହିଥିଲା। ପ୍ରାରମ୍ଭିକ ମାସଗୁଡ଼ିକରେ ୧.୪ ଲକ୍ଷ କୋଟି ଟଙ୍କାର ପାଣ୍ଠି ପ୍ରତ୍ୟାହାର କରିବା ପରେ ଏପ୍ରିଲ୍‌ରୁ ସେମାନଙ୍କ ରଣନୀତି ବଦଳିଥିଲା। ସେମାନେ ଭାରତୀୟ ସେୟାର କିଣିବା ଆରମ୍ଭ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନିଶ୍ଚିତ ବାଣିଜ୍ୟ ନୀତି, ବିଶ୍ବ ବଜାରରେ ମାନ୍ଦାବସ୍ଥା, ଭାରତୀୟ ସେୟାରର ଉଚ୍ଚ ମୂଲ୍ୟ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଅଭିବୃଦ୍ଧିକୁ ନେଇ ଚିନ୍ତା ଥିବାରୁ ବିଦେଶୀ ନିବେଶକମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିଲେ। ତେବେ ଗତ ଶୁକ୍ରବାର ବିଦେଶୀ ନିବୋକମାନେ ୩,୭୯୮.୭୧ କୋଟି ଟଙ୍କାର ଭାରତୀୟ ସେୟାର ବିକ୍ରି କରିଛନ୍ତି। କିନ୍ତୁ ଘରୋଇ ନିବେଶକମାନେ ୭୨୭୭ କୋଟି ଟଙ୍କାର ସେୟାର କିଣିଥିଲେ।