୯ ମାସ ପରେ ଫେରିଲେ ବିଦେଶୀ ନିବେଶକ

ଜୁଲାଇରେ ନିବେଶ କଲେ ୫,୦୦୦ କୋଟି

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ ବଜାରରୁ ମୁହଁ ଫେରାଇଥିବା ବିଦେଶୀ ନିବେଶକମାନେ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି। ନଅ ମାସ ଧରି ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବା ଏହି ଧରଣର ନିବେଶକମାନେ ଜୁଲାଇ ମାସରେ ୫,୦୦୦ କୋଟି ଟଙ୍କା ନିବେଶ କରିଛନ୍ତି। ତେଣୁ ପୁଞ୍ଜି ବଜାରରେ ସ୍ବାଭାବିକତା ଫେରିବ ବୋଲି ଆଶା କରାଯାଉଛି। ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିଲା।

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ବଢ଼ାଇବା ପରେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ବିଦେଶୀ ନିବେଶକମାନେ ଭାରତ ଭଳି ଦେଶର ଷ୍ଟକ ବଜାରରେ ଇକ୍ବିଟିରେ ଖଟାଇଥିବା ପାଣ୍ଠି ପ୍ରତ୍ୟାହାର କରି ତାହାକୁ ନେଇ ଆମେରିକାରେ ନିବେଶ କରୁଥିଲେ। ଜୁନ୍ ମାସରେ ସେମାନେ ୫୦,୧୪୫ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଏହା ପୂର୍ବରୁ ଶେଷ ଥର ପାଇଁ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦ ମାର୍ଚ୍ଚରେ ବିଦେଶୀ ନିବେଶକମାନେ ୬୧,୯୭୩ କୋଟି ଟଙ୍କାର ଭାରତୀୟ ଇକ୍ବିଟି ସେୟାର ବିକ୍ରି କରିଥିଲେ। ଏହି ଧାରାରେ କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରେ ବ୍ରେକ୍ ଲାଗିଛି। ବିଦେଶୀ ନିବେଶକମାନେ ଇକ୍ବିଟିରେ ପୁଣି ଥରେ ନିବେଶ ବଢ଼ାଇବା ଆରମ୍ଭ କରିଛନ୍ତି। ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ସପ୍ତାହବ୍ୟାପୀ ବୃଦ୍ଧିର ଧାରା ଲାଗି ରହିବା ପରେ ବିଦେଶୀ ନିବେଶକମାନେ ଫେରିଛନ୍ତି। ସେମାନେ କ୍ରମାଗତ ୯ ଦିନ ଧରି ୪,୯୮୯ କୋଟି ଟଙ୍କାର ଭାରତୀୟ ସେୟାର କିଣିଛନ୍ତି। ଗତବର୍ଷ ଅକ୍ଟୋବରଠାରୁ ସେମାନେ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିଲେ।

ତେବେ ଷ୍ଟକ ବଜାର କାରବାର ଉପରେ ନଜର ରଖିଥିବା ବିଶେଷଜ୍ଞମାନଙ୍କ ମତରେ କେବଳ ଜୁଲାଇର କିଛି ଦିନର ତଥ୍ୟ ବିଚାରକୁ ନେଇ ବିଦେଶୀ ନିବେଶକମାନେ ଭାରତ ଫେରିଆସିଲେ ବୋଲି କୁହାଯାଇପାରିବ ନାହିଁ। ଏବେବି ଆମେରିକାରେ ମାନ୍ଦାବସ୍ଥାର ଭୟ ରହିଛି। ଆଗାମୀ ଦିନରେ ଘଟିବାକୁ ଥିବା ଘଟଣାଗୁଡ଼ିକ ଉପରେ ବିଦେଶୀ ନିବେଶକମାନଙ୍କ ନିଷ୍ପତ୍ତି ନିର୍ଭର କରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର