ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏପ୍ରିଲ୍ ମାସ ସାରାରେ ସେମାନେ ୮,୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଗତ ଫେବ୍ରୁଆରି ଓ ମାର୍ଚ୍ଚରେ ସ୍ଥିତି ଭିନ୍ନ ଥିଲା। ଭାରତୀୟ ଷ୍ଟକ୍ ବଜାର ଉଭରେ ଭରସା ଥିବାରୁ ବିଦେଶୀ ନିବେଶକମାନେ ଫେବ୍ରୁଆରିରେ ୧୫୩୯ କୋଟି ଟଙ୍କା ଏବଂ ମାର୍ଚ୍ଚରେ ୩୫,୦୯୮ କୋଟି ଟଙ୍କା ନିବେଶ କରିଥିଲେ। ମାତ୍ର ଏପ୍ରିଲ୍ ପରଠାରୁ ସେମାନେ ରଣନୀତି ବଦଳାଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ହେବା ପର୍ଯ୍ୟନ୍ତ ସେମାନେ ସତର୍କତାର ସହ କାରବାର କରୁଛନ୍ତି।
ମର୍ଣ୍ଣିଂଷ୍ଟାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଇଣ୍ଡିଆର ସହକାରୀ ନିର୍ଦ୍ଦେଶକ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି ଯେ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିବା ପଛରେ ଅନେକ କାରଣ ରହିଛି। ନିର୍ବାଚନ ଫଳାଫଳ କ’ଣ ରହିବ ତାହାକୁ ନେଇ ସେମାନେ ଚିନ୍ତିତ ଅଛନ୍ତି। ଦ୍ବିତୀୟରେ ଭାରତର ଷ୍ଟକ୍ ବଜାର ଏବେ ଉଚ୍ଚ ସ୍ତରରେ ଥିବାରୁ ଲାଭ ପାଇବା ଆଶାରେ କିଛି ବିଦେଶୀ ନିବେଶକ ସେୟାର ବିକ୍ରି କରୁଛନ୍ତି। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହ୍ରାସ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରୁନଥିବାରୁ ଏବେ ତାହା ବହୁ ନିବେଶକଙ୍କ ଲାଗି ଆକର୍ଷଣୀୟ ବଜାର ଭାବେ ଉଭା ହୋଇଛି। ଅଧିକ ରିଟର୍ଣ୍ଣ ଆଶାରେ କିଛି ନିବେଶକ ଭାରତ ଭଳି ଦେଶରୁ ପାଣ୍ଠି ପ୍ରତ୍ୟାହାର କରି ଡଲାରଭିତ୍ତିକ ବଜାରରେ ନିବେଶ କରୁଛନ୍ତି।