ବିଦେଶୀ ନିବେଶକ ଖପ୍ପା: ଦିନକୁ ୧୮୦୦ କୋଟି ପ୍ରତ୍ୟାହାର

ମୁମ୍ବାଇ: ଦେଶରେ ନିର୍ବାଚନ ଜାରି ରହିଥିବା ବେଳେ ବିଦେଶୀ ନିବେଶକମାନଙ୍କ ଭିତରେ କିନ୍ତୁ କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ। ନୂଆ ସରକାରକୁ ନେଇ ଉତ୍ସାହିତ ରହିବା ବଦଳରେ ସେମାନେ ନିରୁତ୍ସାହିତ ରହିଛନ୍ତି। ସେଥିପାଇଁ ଗତ କିଛିଦିନ ଭିତରେ ସେମାନେ ଷ୍ଟକ୍ ବଜାରରୁ ବିପୁଳ ପାଣ୍ଠି ପ୍ରତ୍ୟାହାର କରିଛନ୍ତି। ହାରାହାରି ଭାବେ ସେମାନେ ଦିନକୁ ୧୮୦୦ କୋଟି ଟଙ୍କା ପ୍ରତ୍ୟାହାର କରୁଛନ୍ତି।

ଗତ ୨୧ଟି କାରବାର ଦିନରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୩୭,୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ନିର୍ବାଚନ ଫଳାଫଳକୁ ନେଇ ସେମାନଙ୍କ ଭିତରେ ଏକପ୍ରକାର ଭୟ ରହିଛି ବୋଲି ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ଷ୍ଟକ୍ କାରବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମନ୍ତବ୍ୟ ଦେବାକୁ ପଡ଼ିଛି। ସେ କହିଛନ୍ତି ଯେ ଜୁନ୍ ୪ରେ ଷ୍ଟକ୍ ବଜାରରେ ରେକର୍ଡ ବୃଦ୍ଧି ହେବ। କିଛିଦିନ ପୂର୍ବେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ବର୍ତ୍ତମାନ ଯେତେ ପାରୁଛ ସେୟାର କିଣିନିଅ। ଜୁନ୍ ୪ରେ ଷ୍ଟକ୍ ବଜାରରେ ରେକର୍ଡ ବୃଦ୍ଧି ଘଟିବ।

ବିଦେଶୀ ନିବେଶକମାନେ ସେୟାର ବିକୁଥିବା ବେଳେ ଦେଶ ଭିତରର ନିବେଶକମାନେ କିନ୍ତୁ ନିର୍ଭୟରେ କାରବାର କରୁଛନ୍ତି। ସେମାନେ ନିଜ ପାଖରେ ଥିବା ସେୟାରକୁ ଧରି ରଖିଥିବା ବେଳେ ସୁଲଭ ମୂଲ୍ୟରେ ମିଳୁଥିବା ସେୟାର କିଣିବା ଜାରି ରଖିଛନ୍ତି। ଘରୋଇ ସଂସ୍ଥାଗତ ନିବେଶକମାନେ ଷ୍ଟକ୍ ବଜାରରେ ୬୦,୦୦୦ କୋଟି ଟଙ୍କା ନିବେଶ କରିଛନ୍ତି। ବିଦେଶୀ ନିବେଶକମାନଙ୍କ ଭିତରେ ଥିବା ଭୟ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୦୪ରେ ଏନ୍‌ଡିଏକୁ ମାତ୍‌ ଦେଇ ଉପା ମେଣ୍ଟ ସରକାର ଗଠନ କରିବା ପରେ ସେନ୍‌ସେକ୍ସରେ ଗୋଟିଏ ଦିନରେ ୧୫% ହ୍ରାସ ଘଟିଥିଲା। ଏଥର ସେଭଳି କିଛି ଫଳାଫଳ ଆସିପାରେ ବୋଲି ସେମାନଙ୍କ ଭିତରେ ଆଶଙ୍କା ରହିଛି। ତେଣୁ ସତର୍କ ହୋଇ ସେମାନେ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଅନିଶ୍ଚିତତା ଥିବା ସ୍ଥାନରୁ ଦୂରେଇ ଯିବା ବିଦେଶୀ ନିବେଶକମାନଙ୍କ ଏକ ପୁରୁଣା ଅଭ୍ୟାସ। ଅନ୍ୟ ପକ୍ଷରେ ଚୀନ୍ ଓ ହଂକଂ ‌ଷ୍ଟକ୍ ବଜାର ଭଲ ପ୍ରଦର୍ଶନ କରୁଥିବାରୁ କିଛି ନିବେଶକ ସେଠାରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇବାକୁ ଆଶା ରଖି ଭାରତ ଛାଡ଼ୁଛନ୍ତି।

ସମ୍ବନ୍ଧିତ ଖବର