ବ୍ୟୟ ପାଇଁ ବ୍ୟବସ୍ଥା କରି ଭୁଲିଗଲେ

ଭୁବନେଶ୍ବର : ରାଜ୍ୟ ସରକାର କେତେକ ବିଭାଗର କିଛି ପ୍ରକଳ୍ପ ଲାଗି ବ୍ୟୟବରାଦ କରିବା ସତ୍ତ୍ବେ ଟଙ୍କାଟିଏ ଖର୍ଚ୍ଚ କରିନଥିଲେ। ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଜଳ ସମ୍ପଦ ବିଭାଗ ଲାଗି ଏହି ପରିକଳ୍ପନାଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ବ୍ୟୟବରାଦ ମଧ୍ୟ କରାଯାଇଥିଲା। କିନ୍ତୁ ସେ ବାବଦରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ଉଚ୍ଚ ନ୍ୟାୟାଳୟ ପାଇଁ ୨ କୋଟି ଟଙ୍କାର ବ୍ୟୟକୁ ଅନୁମୋଦନ ପ୍ରଦାନ କରାଯାଇଥିବା, କିନ୍ତୁ ତାହା ଖର୍ଚ୍ଚ ହୋଇନଥିଲା। ଗୋପବନ୍ଧୁ ଗ୍ରାମୀଣ ଯୋଜନା ଲାଗି ୧୦୨.୬୦ କୋଟି ଟଙ୍କା, ଭୂତଳ ଜଳ ରିଚାର୍ଜ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ୨୦ କୋଟି ଟଙ୍କା, କ୍ଷଚଦ୍ର ଜଳସେଚନ ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ପାଇଁ ୯.୯୮ କୋଟି ଟଙ୍କା, ଗଙ୍ଗାଧର ମେହେର ଉଠା ନାଳ ପଦ୍ଧତି ପାଇଁ ୧୮ କୋଟି ଟଙ୍କା ଓ କ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ପାଇଁ ୩ କୋଟି ଟଙ୍କା ବ୍ୟୟକୁ ମଞ୍ଜୁର କରାଯାଇଥିଲା। କିନ୍ତୁ ସେହି ଟଙ୍କା ଖର୍ଚ ହୋଇନଥିଲା।

ଶିକ୍ଷା, ସ୍ବାସ୍ଥ୍ୟ ବ୍ୟୟରେ ଓଡ଼ିଶା ପଛୁଆ
ଭୁବନେଶ୍ବର : ଦେଶର ଅନ୍ୟ ସାଧାରଣ ବର୍ଗ ରାଜ୍ୟଗୁଡ଼ିକ ତୁଳନାରେ ସ୍ବାସ୍ଥ୍ୟ ଓ ସେବା କ୍ଷେତ୍ରରେ ବ୍ୟୟ କରିବାରେ ଓଡ଼ିଶା ପଛୁଆ ରହିଛି। ଅନ୍ୟ ରାଜ୍ୟଗୁଡ଼ିକର ଏହି କ୍ଷେତ୍ରରେ ବ୍ୟୟ ୫.୨୧ ପ୍ରତିଶତ ଥିବା ବେଳେ ଓଡ଼ିଶାର ହାର ତା’ଠାରୁ କମ୍ ଅର୍ଥାତ ୪.୭୯ ପ୍ରତିଶତ ରହିଛି। ଜାତୀୟ ଶିକ୍ଷା ନୀତି ୨୦୧୯ରେ ରାଜ୍ୟ ଜିଡିପିର ୬% ଅର୍ଥକୁ ଶିକ୍ଷା କ୍ଷେତ୍ରରେ ଓ ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୧୭ ଅନୁଯାୟୀ ଜିଡିପିର ୨.୫% ଅର୍ଥକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ କରିବାକୁ କୁହାଯାଇଛି। ତେଣୁ ଏହି ଦୁଇ କ୍ଷେତ୍ରରେ ଓଡ଼ିଶା ଏହାର ବ୍ୟୟ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସିଏଜି କହିଛନ୍ତି।

ଶେଷ ମାସରେ ପ୍ରଚୁର ବ୍ୟୟ
ଭୁବନେଶ୍ବର : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ‌ଶେଷ ମାସରେ ପ୍ରଚୁର ପରିମାଣର ବ୍ୟୟ କରିଥିଲେ। ଛାତ୍ରବୃତ୍ତି ଓ ଜାଗା ମିସନ ନାମରେ ଅଧିକ ବ୍ୟୟ କରାଯାଇଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ ବିଦ୍ୟା ବୃତ୍ତି ଭାବେ ୧୪.୪୦ କୋଟି ଟଙ୍କା ଓ ମାଟ୍ରିକ ପର ଛାତ୍ରବୃତ୍ତି ପାଇଁ ୪୧.୮୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି ଜାଗା ମିସନ ପାଇଁ ୨୦୨୦ ମାର୍ଚ୍ଚ ମାସରେ ୧୦୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ୨୦ କୋଟି, ବାତ୍ୟା ଜଳ ନିଷ୍କାସନ ଓ ଜଳ ଧାରା ବିକାଶ ପାଇଁ ୧୮ କୋଟି ଟଙ୍କା, ଅଂଶୀଦାର ପୁଞ୍ଜି ଲଗାଣ ପାଇଁ ୧୦୩.୦୬ କୋଟି ଟଙ୍କା, ରେଳ ପ୍ରକଳ୍ପ ଏସ୍‌ପିଭି ପାଇଁ ୫୯.୬୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି, ଏହି ମାସରେ ମହିଳା ବିକାଶ ସମବାୟ ନିଗମକୁ ୧୦.୨୭ କୋଟି ଟଙ୍କା ଓ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ପାଇଁ ୨୨୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଓଡ଼ିଶା ଏଫ୍‌ଆରବିଏମ୍ (ସଂଶୋଧନ) ନିୟମ ୨୦୧୬ ଅନୁଯାୟୀ କୌଣସି ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ବଜେଟ୍‌ରେ କରାଯାଇଥିବା ବ୍ୟବସ୍ଥାର ୬୦% ବ୍ୟୟ ଲକ୍ଷ୍ୟ ହାସଲ ହେବା ଦରକାର। ଏହା ବ୍ୟତୀତ ଆର୍ଥିକ ବର୍ଷର ଶେଷ ମାସରେ ଅର୍ଥାତ ମାର୍ଚ୍ଚ ମାସରେ ୧୫ ପ୍ରତିଶତରୁ ଅଧିକ ବ୍ୟୟ ହେବ ନାହିଁ।

ସମ୍ବନ୍ଧିତ ଖବର