ବୈଦେଶିକ ବାଣିଜ୍ୟ ନୀତି ସମୀକ୍ଷା:ରପ୍ତାନି ପାଇଁ ୮୫୦୦ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ: ଦେଶର ରପ୍ତାନି ପରିମାଣ ବଢ଼ାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନିକାରୀଙ୍କ ପାଇଁ ୮୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଉଭୟ ସାମଗ୍ରୀ ଓ ସେବା ରପ୍ତାନି ବଢ଼ାଇବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ। ସାମଗ୍ରୀ ପାଇଁ ୪୫୬୭ କୋଟି ଟଙ୍କା ଏବଂ ସେବା ରପ୍ତାନି ପାଇଁ ୧୧୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି।
ଚମଡ଼ା ଏବଂ ଜୋତା ଶିଳ୍ପ ପାଇଁ ୭୪୯ କୋଟି ଟଙ୍କା, କୃଷି ଏବଂ ତତ୍‌ ସଂକ୍ରାନ୍ତୀୟ ସାମଗ୍ରୀ ପାଇଁ ୧୩୫୪ କୋଟି ଟଙ୍କା, ସାମୁଦ୍ରିକ ସାମଗ୍ରୀ ରପ୍ତାନି ପାଇଁ ୭୫୯ କୋଟି ଟଙ୍କା, ଦୂରସଂଚାର ଓ ଇଲେକ୍ଟ୍ରୋନିକ୍ସ ରପ୍ତାନି ପାଇଁ ୩୬୯ କୋଟି ଟଙ୍କା, ହାତତିଆରି କାର୍ପେଟ୍‌ ପାଇଁ ୯୨୧ କୋଟି ଟଙ୍କା, ମେଡିକାଲ୍‌ ଓ ସର୍ଜିକାଲ୍‌ ଉପକରଣ ପାଇଁ ୧୯୩ କୋଟି ଟଙ୍କା ଏବଂ ପୋଷାକ ଓ ରେଡିମେଡ୍‌ ଗାର୍ମେଣ୍ଟ୍‌ କ୍ଷେତ୍ର ପାଇଁ ୧୧୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ବୈଦେଶିକ ବାଣିଜ୍ୟ ନୀତି (ଏଫ୍‌୍‌ଟିପି) ୨୦୧୫-୨୦ର ମଧ୍ୟବର୍ତ୍ତିକାଳୀନ ସମୀକ୍ଷା କରିବା ପରେ ରପ୍ତାନିକାରୀଙ୍କ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି।
ଅତିରିକ୍ତ ପ୍ୟାକେଜ୍‌ ଜରିଆରେ ଗୋଟିଏ ପଟେ ସରକାର ରପ୍ତାନି ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
୨୦୨୦ ସୁଦ୍ଧା ଦେଶର ରପ୍ତାନି ପରିମାଣ ଦ୍ୱିଗୁଣିତ କରି ୯୦,୦୦୦ କୋଟି ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରପ୍ତାନିକାରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ପ୍ରଭାବରେ ଦେଶର ରପ୍ତାନି ବଢ଼ିବ ବୋଲି ଅର୍ଥ ସଚିବ ହସମୁଖ ଆଧିଆ କହିଛନ୍ତି।
ଆଜି ପ୍ରକାଶ ପାଇଥିବା ମଧ୍ୟବର୍ତ୍ତିକାଳୀନ ସମୀକ୍ଷା ରିପୋର୍ଟରେ ରପ୍ତାନି ପାଇଁ ନୂତନ ବଜାର ଏବଂ ଉତ୍ପାଦ ସନ୍ଧାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଏସ୍‌ଟିରେ ମିଳିବାକୁ ଥିବା ଲାଭର ସଦୁପଯୋଗ କରିବା, ସୀମାପାର କାରବାରକୁ ଅଧିକ ସହଜ କରିବା ଏବଂ ଚାଷୀଙ୍କ ଆୟ ବଢ଼ାଇବା ପାଇଁ କୃଷିଜାତ ସାମଗ୍ରୀ ରପ୍ତାନି ବଢ଼ାଇବା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରିବାକୁ କୁହାଯାଇଛି। ଏହି ରିପୋର୍ଟ ବହୁ ପୂର୍ବରୁ ଉନ୍ମୋଚନ କରାଯିବାର ଥିଲା। ମାତ୍ର ଜିଏସ୍‌ଟି ଲାଗୁ କରିବାରେ ବ୍ୟସ୍ତ ଥିବାରୁ ସରକାର ରିପୋର୍ଟ ଉନ୍ମୋଚନ ସମୟକୁ ଟାଳି ଦେଇଥିଲେ।

ସମ୍ବନ୍ଧିତ ଖବର