ନୂଆଦିଲ୍ଲୀ: ତୈଳ ଆମଦାନି ନିର୍ଭରଶୀଳତା କମ୍ କରିବା ଓ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଲାଗି ପେଟ୍ରୋଲ୍‌ରେ ୨୦ ପ୍ରତିଶତରୁ ଅଧିକ ଇଥାନଲ୍‌ ମିଶାଇବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ନିତି ଆୟୋଗରେ ଏନେଇ ଏକ କମିଟି ଗଠନ କରାଯାଇଥିବା ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ୨୦୨୬ ସୁଦ୍ଧା ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ୍‌ ମିଶାଇବା ଲକ୍ଷ୍ୟ ଥିଲା। ବର୍ତ୍ତମାନ ସୁଦ୍ଧା ୧୯.୬ ପ୍ରତିଶତ ମିଶ୍ରଣ ଲକ୍ଷ୍ୟ ହାସଲ ହୋଇଛି। ଆମେ ତାହାକୁ ଆହୁରି ବଢ଼ାଇବାକୁ ଚାହୁଛୁ। ଦେଶରେ ୧୭୦୦ କୋଟି ଲିଟର ମିଶ୍ରଣ ପାଇଁ କ୍ଷମତା ରହିଛି। ସେଥିରୁ ୧୫୦୦ କୋଟି ଲିଟର୍‌ର ମିଶ୍ରଣ ସମ୍ଭବ ହୋଇପାରିଛି।

Advertisment

ବିଭିନ୍ନ ପ୍ରକାର ଇନ୍ଧନ ଆମଦାନି କରିବାରେ ସରକାର ୧୫ ହଜାର କୋଟି ଡଲାର ଖର୍ଚ୍ଚ କରୁଛନ୍ତି। ଗ୍ରିନ୍ ହାଇଡ୍ରୋଜେନ୍ ଉପରେ ଯେତିକି ଧ୍ୟାନ ଦିଆଯିବା କଥା ତାହା ଦିଆଯାଉନଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଗ୍ରିନ୍ ହାଇଡ୍ରୋଜେନ୍ ଦାମ୍ ୪.୫ ଡଲାର ରହିଛି। ଯଦି ସେହି ଦରକୁ ୨.୫ ଡଲାରକୁ ହ୍ରାସ କରାଯାଇପାରିବ, ତେବେ ସେହି କ୍ଷେତ୍ରରେ ବିପ୍ଳବ ଆସିପାରିବ। ପାରମ୍ପରିକ ଇନ୍ଧନ ତୁଳନାରେ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବହାର ବଢ଼ିପାରିବ ବୋଲି ସେ କହିଛନ୍ତି। 

ବିଶ୍ବର ବିଭିନ୍ନ ଦେଶ ସ୍ବଚ୍ଛ ଶକ୍ତି ଆଡ଼କୁ ମୁହାଉଁଛନ୍ତି। କିନ୍ତୁ ଅର୍ଥନୀତିର ଚାହିଦାକୁ ମଧ୍ୟ ନଜରରେ ରଖିବାକୁ ପଡ଼ିବ। ଭାରତୀୟ ଅର୍ଥନୀତି ୬-୭ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। ଏଥିପାଇଁ ଇନ୍ଧନ ଦରକାର। ଏକ ସ୍ବଚ୍ଛ ଭବିଷ୍ୟତ ଲାଗି ଆମକୁ ବର୍ତ୍ତମାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜୀବାଶ୍ମ ଇନ୍ଧନ ଉତ୍ପାଦନ କରୁଥିବା ପ୍ରତ୍ୟେକ କମ୍ପାନି ୨୦୪୫ ସୁଦ୍ଧା ନେଟ୍‌ ଜିରୋ ହେବେ ବୋଲି ସେ କହିଛନ୍ତି।