ଏବିଜି ସିପ୍‌ୟାର୍ଡ ପୂର୍ବତନ ଅଧ୍ୟକ୍ଷଙ୍କୁ ଜେରା

ନୂଆଦିଲ୍ଲୀ : ଏବିଜି ସିପ୍‌ୟାର୍ଡର ପୂର୍ବତନ ଅଧ୍ୟକ୍ଷ ଋଷି ଅଗରୱାଲଙ୍କୁ ସିବିଆଇ ଜେରା କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ସିବିଆଇ ତାଙ୍କ ଘରେ ଚଢ଼ଉ କରିବା ପରେ ତାଙ୍କୁ ସମନ କରିଥିଲା। ଏହାପରେ ତାଙ୍କୁ ରବିବାର ପଚରାଉଚରା କରାଯାଇଛି।

ଏବିଜି ସିପ୍‌ୟାର୍ଡର ବ୍ୟାଙ୍କ ଠକେଇକୁ ଦେଶର ସର୍ବବୃହତ୍ ବ୍ୟାଙ୍କ ଠକେଇ କୁହାଯାଉଛି। ଉକ୍ତ କମ୍ପାନିର ଋଷି ଅଗରୱାଲଙ୍କ ସମେତ ସନ୍ଥନମ୍ ମୁଥୁସ୍ବାମୀ ଏବଂ ଅଶ୍ବିନୀ କୁମାର ପ୍ରମୁଖ ଅଭିଯୁକ୍ତ ରହିଛନ୍ତି। ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ଏମାନେ ୨୨୮୪୨ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଗତକାଲି ତାଙ୍କ ବିରୋଧରେ ମନି ଲଣ୍ଡରିଂର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆରମ୍ଭ ହୋଇଥିଲା। ଗୁଜରାଟର ଉକ୍ତ ଘରୋଇ ଜାହାଜ ତିଆରି ଓ ମରାମତି କମ୍ପାନି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୯୨୫ କୋଟି, ଆଇସିଆଇସିଆଇ ବ୍ୟାଙ୍କକୁ ୭୦୮୯ କୋଟି ଟଙ୍କା, ଆଇଡିବିଆଇ ବ୍ୟାଙ୍କକୁ ୩୬୩୪ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ବରୋଦାକୁ ୧୬୧୪ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୨୪୪ କୋଟି ଟଙ୍କା ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ ୧୨୨୮ କୋଟି ଟଙ୍କା ଠକିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସିବିଆଇରେ ଏ ନେଇ ଅଭିଯୋଗ କରାଯିବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର