ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦରେ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏହି ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ। ସେ କହିଛନ୍ତି ଯେ କ୍ରିପ୍ଟୋକୁ ଅନୁମତି ଦେଲେ ମୁଦ୍ରା ଓ ମୁଦ୍ରାସ୍ଫୀତି ପରିଚାଳନା ଉପରୁ ରିଜର୍ଭ ବ୍ୟାଙ୍କ ଏହାର ନିୟନ୍ତ୍ରଣ ହରାଇବ। ଯେଉଁ ଅସ୍ତ୍ର ପ୍ରୟୋଗ କରି ଏହା ମୁଦ୍ରା ଯୋଗାଣକୁ ନିଜ ନିୟନ୍ତ୍ରଣରେ ରଖୁଛି ଓ ମୁଦ୍ରାସ୍ଫୀତି ଉପରେ ଲଗାମ କଷିବାକୁ ଉଦ୍ୟମ କରୁଛି ତାହା ସମ୍ଭବପର ହେବ ନାହିଁ। ପରୋକ୍ଷରେ ସେ କ୍ରିପ୍ଟୋ ବିପକ୍ଷରେ ଯୁକ୍ତି ବାଢ଼ିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବା ପରେ ମଧ୍ୟ ଅନେକ ସମସ୍ୟା ଦେଖାଦେବ ବୋଲି ପାଞ୍ଚ ବର୍ଷ ଧରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ସୁବ୍ବାରାଓ କହିଛନ୍ତି। ତାଙ୍କ ମତରେ ଡିଜିଟାଲ୍ ମୁଦ୍ରା ବାହାନାରେ ପ୍ରତିଟି କାରବାର ଉପରେ ସରକାର ନଜର ରଖିପାରିବେ। ମୁଁ ଆଇସ୍କ୍ରିମ୍ କିଣିବା ଲାଗି କେତେ ଟଙ୍କା ଖର୍ଚ୍ଚ କଲି ତାହା ସରକାର ଜାଣିବା କ’ଣ ଦରକାର? ମୁଁ କେଉଁ ଦାମି ଜିନିଷ ବା ବ୍ରାଣ୍ଡ୍ ବ୍ୟବହାର କରିବାକୁ ପସନ୍ଦ କରୁଛି ଓ ସେଥିପାଇଁ କେତେ ଖର୍ଚ୍ଚ କରୁଛି ତାହା ସରକାର ଜାଣିବା କ’ଣ ଜରୁରୀ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ରିଜର୍ଭ ବ୍ୟାଙ୍କ ଏହାର ଡିଜିଟାଲ୍ ମୁଦ୍ରା ଜାରି କରିବା ପୂର୍ବରୁ ଏକ ଦୃଢ଼ ତଥ୍ୟ ସୁରକ୍ଷା ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି। ଏଭଳି ବ୍ୟବସ୍ଥା ନକଲେ ଏହା ରାଜନୈତିକ ଗୋଟିଚାଳନାର ଏକ ଅସ୍ତ୍ରରେ ପରିଣତ ହେବ। ନିଜ ଫାଇଦା ଲାଗି ରାଜନୈତିକ ଦଳଗୁଡ଼ିକ ତାହାକୁ ବ୍ୟବହାର କରିପାରନ୍ତି ବୋଲି ସେ କହିଛନ୍ତି।
ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରା କେଉଁ କାମରେ ବ୍ୟବହାର ହେଉଛି ସେହି ତଥ୍ୟ ଅତି ସହଜରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପାଖରେ ପହଞ୍ଚିପାରିବ। ଡ୍ରଗ୍ସ କାରବାର କିମ୍ବା ମନି ଲଣ୍ଡରିଂ ଭଳି ବେଆଇନ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାରେ ଏହା ବିଶେଷ ସହାୟକ ହୋଇପାରେ। ମାତ୍ର ଆଇନକୁ ପାଳନ କରୁଥିବା ନାଗରିକଙ୍କ ପାଇଁ ତାହା ମୁଣ୍ଡବ୍ୟଥାର କାରଣ ହେବ। ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ବିରୋଧୀ ଦଳ ବେଶ ଗୁରୁତ୍ବପୂର୍ଣ୍ଣ। ରାଜନୈତିକ ଫାଇଦା ଲାଗି ସେମାନେ ବହୁ ମିଥ୍ୟା ଅଭିଯୋଗ କରିପାରନ୍ତି।
ସେହି ଅଭିଯୋଗକୁ ଘୋଡ଼ାଇବା ଲାଗି ସରକାର ତଥ୍ୟର ଅପବ୍ୟବହାର କରିବା ଭଳି ପଦକ୍ଷେପ ନେଇପାରନ୍ତି ବୋଲି ସୁବ୍ବାରାଓ କହିଛନ୍ତି। ଘରୋଇ କ୍ରିପ୍ଟୋକରେନ୍ସି ତୁଳନାରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଏକ ଉତ୍ତମ ବିକଳ୍ପ ବୋଲି ସେ ସ୍ବୀକାର କରିଛନ୍ତି। ଚାପରେ ଭାରତ ଭଳି ବିକାଶଶୀଳ ଦେଶ ଏଭଳି ମୁଦ୍ରା ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହେଉଥିବା ମଧ୍ୟ ସେ କହିଛନ୍ତି।