ଷ୍ଟେଟ୍‌ ବ୍ୟାଙ୍କ ପୂର୍ବତନ ମୁଖ୍ୟ ଗିରଫ: ବ୍ୟାଙ୍କ ଶିଳ୍ପରେ ତୀବ୍ର ପ୍ରତିକ୍ରିୟା

ଉଦ୍ଦେଶ୍ୟ ପ୍ରଣୋଦିତ: ରଜନୀଶ, ଅଭିଯୋଗକୁ ଷ୍ଟେଟ୍‌ ବ୍ୟାଙ୍କର ଖଣ୍ଡନ

ନୂଆଦିଲ୍ଲୀ: ଋଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରତୀପ ଚୌଧୁରୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରାଯିବା ପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ମାମଲାରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯେଉଁ ସମ୍ପତ୍ତି ମାମଲାରେ ତାଙ୍କୁ ଗିରଫ କରାଯାଇଛି ‌ତାହାର ଫଇସଲା ନିର୍ଧାରିତ ନିୟମ ଅନୁସାରେ ହୋଇଛି। ୨୦୧୩ ସେପ୍ଟେମ୍ବରରେ ଶ୍ରୀ ଚୌଧୁରୀ ବ୍ୟାଙ୍କରୁ ଅବସର ଗ୍ରହଣ କରିବା ପରେ ମାମଲାର ଫଇସଲା ହୋଇଥିଲା ବୋଲି ଷ୍ଟେଟ୍ ବ୍ୟାଙ୍କ ସ୍ପଷ୍ଟ କରିଛି।

ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ରଜନୀଶ କୁମାର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ଚୌଧୁରୀଙ୍କ ଗିରଫ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ପଛରେ ବଡ଼ ଲୋକଙ୍କ ହାତ ରହିଛି। ଏହି ପ୍ରସଙ୍ଗରେ ବିଚାର କରିବା ବେଳେ ନିଶ୍ଚିତ କିଛି ଭୁଲଭଟକା ରହିଛି ବୋଲି ସେ କହିଛନ୍ତି। କୌଣସି ଆସେଟ୍ ରିକନଷ୍ଟ୍ରକ୍ସନ କଂପାନି (ଏଆର୍‌ସି)କୁ କିଭଳି ଚାପଗ୍ରସ୍ତ ସମ୍ପତ୍ତି ହସ୍ତାନ୍ତର କରାଯିବ ସେ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ନିୟମ ରହିଛି। ସେହି ନିୟମକୁ ପାଳନ କରି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦୁର୍ନୀତି କେଉଁଠାରେ ହେଲା ବୋଲି ରଜନୀଶ ପ୍ରଶ୍ନ କରିଛନ୍ତି। ଅନ୍ୟ କିଛି ବରିଷ୍ଠ ବ୍ୟାଙ୍କ ଅଧିକାରୀ ଏହି ଗିରଫଦାରିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ବେଶ୍ ଚିନ୍ତାଜନକ। ଯଦି ଏଭଳି ଘଟଣା ଘଟିବ ବ୍ୟାଙ୍କରମାନେ କିଭଳି ବିକାଶମୂଳକ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କର ଜଣେ ପୂର୍ବତନ ଡେପୁଟି ଏମ୍‌ଡି ଟ୍ବିଟର୍‌ରେ ଜଣାଇଛନ୍ତି ଯେ ଅତ୍ୟନ୍ତ ଦୁଃଖଦାୟକ ଖବର। ମୋଦୀ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ଖିଲାପକାରୀ ବ୍ୟବସ୍ଥାର ଅପବ୍ୟବହାର କରିବାରେ ସଫଳ ହୋଇଛନ୍ତି। ବିନା କୌଣସି ନୋଟିସ୍‌ ଓ ସମନରେ ଅନ୍ୟ ରାଜ୍ୟର ପୁଲିସ କିଭଳି ଦିଲ୍ଲୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ମାମଲ‌ାରେ ଆଇନକୁ ପାଳନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।

ରାଜସ୍ଥାନର ଜୈସଲ୍‌ମର୍‌ରେ ଏକ ହୋଟେଲ୍ ସ୍ଥାପନ କରିବା ଲାଗ ଗୋଦାୱନ୍ ଗ୍ରୁପ୍‌ ନାମକ ଏକ ସଂସ୍ଥା ୨୦୦୮ରେ ଷ୍ଟେଟ୍‌ ବ୍ୟାଙ୍କ ଠାରୁ ୨୪ କୋଟି ଟଙ୍କାର ଋଣ ନେଇଥିଲା। ୨୦୧୦ ଏପ୍ରିଲ୍‌ରେ ସଂସ୍ଥାର ପ୍ରମୁଖ ପ୍ରତିଷ୍ଠାତାଙ୍କ ପରଲୋକ ହେବାରୁ ଋଣ ପରିଶୋଧ ହୋଇପାରିନଥିଲା। ସେହି ଋଣ ଖାତା ୨୦୧୦ରେ ଏନ୍‌ପିଏରେ ପରିଣତ ହୋଇଥିଲା। ଗିରଫ ଚୌଧୁରୀଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ଏହି ସମ୍ପତ୍ତିକୁ ବ୍ୟାଙ୍କ ଜବତ କରିବା ପରେ ମାତ୍ର ୨୫ କୋଟି ଟଙ୍କାରେ ଆଲ୍‌କେମିଷ୍ଟ୍ ଆସେଟ୍‌ ରିକନ୍‌ଷ୍ଟ୍ରକ୍ସନ କଂପାନି (ଏଆର୍‌ସି)କୁ ବିକ୍ରି କରାଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହି ମାମଲାରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଆଲୋଚ୍ୟ ‌ସମ୍ପତ୍ତିକୁ ୨୦୧୪ ଜାନୁଆରିରେ ଏଆର୍‌ସି ହାସଲ କରିଥିବା ଏବଂ ଏବାବଦ ସବୁ ପ୍ରକାର କାର୍ଯ୍ୟ ସେହି ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିଲା। ଶ୍ରୀ ଚୌଧୁରୀ ୨୦୧୩ରେ ଅବସର ଗ୍ରହଣ କରିଥିଲେ ଓ ୨୦୧୪ ଅକ୍ଟୋବରରେ ସେହି ଏଆର୍‌ସିର ବୋର୍ଡରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର