ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ତଥ‌ା ବ୍ୟବସାୟୀ ଦୀପକ କୋଚ୍ଚରଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ ଗ୍ରୁପ୍ ମଧ୍ୟରେ ହୋଇଥିବା ବୁଝାମଣା ସମୟରେ ଏହି ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟାହ୍ନରେ ତାଙ୍କୁ ଦୀର୍ଘ ସମୟ ଜେରା କରାଯିବା ପରେ ଇଡି ଗିରଫ କରିଛି।

Advertisment

ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍ଏଲଏ) ଆଧାରରେ ଇଡି ପକ୍ଷରୁ ଚନ୍ଦା, ଦୀପକ ଓ ଭିଡିଓକନ୍ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କ ନାମରେ ଗତବର୍ଷ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ୧୮୭୫ କୋଟି ଟଙ୍କା ଋଣ ଆବଣ୍ଟନରେ ହୋଇଥିବା ଜାଲିଆତି ଅଭିଯୋଗର ତଦନ୍ତ କରୁଛି ଇଡି। ଚନ୍ଦାଙ୍କ କାର୍ଯ୍ୟକାଳ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗୁଜରାଟର ଔଷଧ କଂପାନି ଷ୍ଟର୍ଲିଂ ବାୟୋଟେକ୍ ଓ ଭୂଷଣ ଷ୍ଟିଲ୍‌ ଗ୍ରୁପ୍‌କୁ ଦିଆଯାଇଥିବା ଋଣ ମାମଲାର ମଧ୍ୟ ଇଡି ତଦନ୍ତ କରୁଛି। ଏହି ଦୁଇ ମାମଲାରେ ମଧ୍ୟ ମନି ଲଣ୍ଡରିଂ ଅଭିଯୋଗ ଆସିିଥିଲା। ପୂର୍ବରୁ ସିବିଆଇ ପକ୍ଷରୁ ମଧ୍ୟ ଏହି ଋଣ ଜାଲିଆତି ମାମଲାକୁ ନେଇ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ସିବିଆଇ ମାମଲାରେ ଚନ୍ଦା, ଦୀପକ ଓ ବେଣୁଗୋପାଳଙ୍କ ସମେତ ତାଙ୍କ କଂପାନିର ନାମ ରହିଛି। ଦୀପକ ଗଠନ କରିଥିବା କଂପାନିର ନାମ ହେଉଛି ନ୍ୟୁପାୱାର ରିନୁଏବଲସ୍‌। ଚନ୍ଦାଙ୍କ କାର୍ଯ୍ୟକାଳ ସମୟରେ ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ମଞ୍ଜୁର କରିଥିଲା। ଅଭିଯୋଗ ହେଉଛି ଯେ ନ୍ୟୁପାୱାର ରିନୁଏବଲସ୍‌ରେ କିଛି ପୁଞ୍ଜି ବିନିଯୋଗ କରିବା ପାଇଁ ବେଣୁଗୋପାଳଙ୍କ ସହ ଆଗୁଆ ଡିଲ୍‌ ହୋଇଥିଲା। ତାହା କିକ୍‌ବ୍ୟାକ୍ ଥିଲା ବୋଲି ସନ୍ଦେହ କରାଯାଉଛି। ସିିବିଆଇର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୦୯ ଜୁନ୍‌ରୁ ୨୦୧୧ ଅକ୍ଟୋବର ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ଆବଣ୍ଟନ କରିଥିବା ୧୮୭୫ କୋଟି ଟଙ୍କା ମୂଲ୍ୟର ଛଅଟି ଋଣ ଆବଣ୍ଟନରେ ବ୍ୟାଙ୍କର ଥିବା ନିୟମକୁ ଉଲ୍ଲଂଘନ କରାଯାଇଥିଲା। ୨୦୧୨ରେ ଏହି ଋଣଗୁଡ଼ିକୁ ଏନ୍‌ପିଏ ଘୋଷଣା କରାଯିବାରୁ ବ୍ୟାଙ୍କକୁ ୧୭୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।