ଆଇଏଲଏଫଏସର ପୂର୍ବତନ ଏମଡି ରମେଶ ବାୱା ଗିରଫ

ନୂଆଦିଲ୍ଲୀ : ଋଣଗ୍ରସ୍ତ ହୋଇ ଦେବାଳିଆସ୍ଥିତିରେ ପଡିଯାଇଥିବା ଭିତ୍ତିଭୂମି ଅର୍ଥଯୋଗାଣକାରୀ କମ୍ପାନି ଆଇଏଲଏଫଏଣ୍ଡଏସର ପୂର୍ବତନ ସିଇଓ ତଥା ଏମଡି ରମେଶ ବାୱାଙ୍କୁ ଆଜି କେନ୍ଦ୍ର କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟ ଅଧିନସ୍ଥ ଗୁରତର ଆର୍ଥିକ ଅପରାଧ ଅଫିସ ଗିରଫ କରିଛି । ତାଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରିବାପରେ ଏହି ଗିରଫଦାରି ହୋଇଛି । ଚଳିତ ମାସ ପ୍ରାରମ୍ଭରେ ଏହି କମ୍ପାନିର ପୂର୍ବତନ ଉପାଧ୍ୟକ୍ଷ ହରି ଶଙ୍କରନଙ୍କୁ ଗିରଫ କରିଥିଲା ।
ଗତ ବର୍ଷ ସେପ୍ଟେମ୍ବରରେ ଏହି କମ୍ପାନିର ନିଜର ଋଣଦାତାମାନଙ୍କ ଋଣ ପରିଶୋଧ କରିବାକୁ ବିଫଳ ହେବା ପରେ ବାୱା ଓ ଶଙ୍କରନ ହଠାତ ଇସ୍ତଫା ଦେଇଥିଲେ । ଏହା ଫଳରେ ବଜାରରେ ହଇଚଇ ଦେଖାଦେଇଥିଲା । ଏହା ଫଳରେ କମ୍ପାନି ପରିଚାଳନାକୁ ନିଜ ହାତକୁ ନେଇଥିଲେ କେନ୍ଦ୍ର ସରକାର । ସରକାର କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଉଦୟ କୋଟାକଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ ବୋର୍ଡ ଅଫ ଡାଇରେକ୍ଟର୍ସ ଗଠନ କରିଥିଲେ । ଏହି ବୋର୍ଡରେ ଟେକ ମହିନ୍ଦ୍ରା ମୁଖ୍ୟ ବିନିତ ନାୟାର, ପୂର୍ବତନ ସେବି ମୁଖ୍ୟ ଜିଏନ ବାଜପେୟୀ, ଆଇସିଆଇସିଆଇ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜି.ସି. ଚକ୍ରବର୍ତ୍ତି, ପୂର୍ବତନ ଆଇଏଏସ ଅଫିସର ମାଳିନି ଶଙ୍କର ଓ ନନ୍ଦ କିଶୋର ସଦସ୍ୟ ଥିଲେ । କମ୍ପାନିକୁ ସୁଧାରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତି ପାଇଁ ଏହି ବୋର୍ଡ ଗଠନ କରାଯାଇଥିଲା ।

ସମ୍ବନ୍ଧିତ ଖବର