ନୂଆଦିଲ୍ଲୀ: ୱାଟରଫିଲ୍‌ଡ ଆଡଭାଇଜର୍ସର ସହଯୋଗରେ ପ୍ରସ୍ତୁତ ଫର୍ଚ୍ୟୁନ ଇଣ୍ଡିଆ ଧନୀ ଭାରତୀୟ ତାଲିକା ୨୦୨୨ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ୧୪୨ ଜଣ ବଡ଼ ଧନୀ ଭାରତୀୟ ବା ବିଲିୟନେୟାରଙ୍କ ସଂପତ୍ତି ୮୩୨ ଆମେରିକୀୟ ବିଲିଅନ ଡଲାର ବା ପ୍ରାୟ ୬୬.୩୬ ଲକ୍ଷ କୋଟି ଟଙ୍କା ରହିଛି। କରୋନା ମହାମାରୀ ବେଳେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ବି ବଢ଼ିଛି। ମହାମାରୀ ପୂର୍ବରୁ ୧୦୨ ଜଣ ବିଲିୟନେୟାର ଥିବାବେଳେ ଏବେ ତାହା ୧୪୨କୁ ବୃଦ୍ଧି ପାଇଛି। ଅର୍ଥାତ୍ କରୋନାବେଳେ ୪୦ ନୂଆ ବିଲିୟନେୟାର ସୃଷ୍ଟି ହୋଇଛନ୍ତି। ଧନୀ ଭାରତୀୟଙ୍କ ମଧ୍ୟରେ ଆଦାନି ଗ୍ରୁପ୍ ମୁଖ୍ୟ ‌ଗୌତମ ଆଦାନି ଶୀର୍ଷରେ ରହିଛନ୍ତି। ତାଙ୍କ ସଂପତ୍ତି ୧୦.୨୯ ଲକ୍ଷ କୋଟି ଟଙ୍କା ରହିଛି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ମୁକେଶ ଅମ୍ବାନି ରହିଛନ୍ତି। ମୁକେଶଙ୍କ ସଂପତ୍ତି ୭.୫୫ ଲକ୍ଷ କୋଟି ଟଙ୍କା ରହିଛି।

Advertisment

ତୃତୀୟ ସ୍ଥାନରେ ସାପୁର ମିସ୍ତ୍ରୀ ଓ ସାଇରସ ମିସ୍ତ୍ରୀ ପରିବାର ଅଛନ୍ତି। ସେମାନଙ୍କ ସଂପତ୍ତି ୨.୫୭ ଲକ୍ଷ କୋଟି ଟଙ୍କା। ସେହିଭଳି ଚତୁର୍ଥ ସ୍ଥାନରେ ରାଧାକୃଷ୍ଣ ଦମାନି (୨.୧୯ ଲକ୍ଷ କୋଟି ଟଙ୍କା), ପଞ୍ଚମ ସ୍ଥାନରେ ଅଜିମ ପ୍ରେମଜୀ (୧.୭୪ ଲକ୍ଷ କୋଟି ଟଙ୍କା), ଷଷ୍ଠ ସ୍ଥାନରେ ସାଇରସ ‌ସୋଲି ପୁନାୱାଲା (୧.୬୨ ଲକ୍ଷ କୋଟି ଟଙ୍କା), ସପ୍ତମ ସ୍ଥାନରେ ଶିବ ନାଦର ( ୧.୫୭ ଲକ୍ଷ କୋଟି ଟଙ୍କା), ଅଷ୍ଟମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା (୧.୫୩ ଲକ୍ଷ କୋଟି ଟଙ୍କା), ନବମ ସ୍ଥାନରେ ଆଦି ଗୋ‌ଦରେଜ୍ ଓ ତାଙ୍କ ପରିବାର (୧.୪୦ ଲକ୍ଷ କୋଟି ଟଙ୍କା) ଏବଂ ଦଶମ ସ୍ଥାନରେ ବଜାଜ୍ ଗ୍ରୁପ୍‌ର ଶେଖର ବଜାଜ୍‌, ନୀରଜ ବଜାଜ, ରାଜୀବ ବଜାଜ ଏବଂ ସଂଜୀବ ବଜାଜ (୧.୨୧ ଲକ୍ଷ କୋଟି ଟଙ୍କା) ରହିଛନ୍ତି।