ସ୍ବାସ୍ଥ୍ୟ ପାଇଁ ୨୭୫୦ କୋଟି

୧୦୨ ଡିଜିଟାଲ ଡିସପେନସେରି ସ୍ଥାପନ ହେବ ଝାରସୁଗୁଡ଼ାରେ ହେବ ହୃଦରୋଗ ଚିକିତ୍ସାଳୟ :୨୫ଟି ନୂଆ ଡାକ୍ତରଖାନା ପାଇଁ ୧୩୦୦ କୋଟି :ଭୁବନେଶ୍ବରରେ ହେବ କର୍କଟ ରୋଗ ଚିକିତ୍ସାଳୟ

ଭୁବନେଶ୍ବର,: ସ୍ବାସ୍ଥ୍ୟକ୍ଷେତ୍ରରେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ମୋଟ ୨୭୫୦ କୋଟି ଟଙ୍କା ନିବେଶ ହେବ। ମେକ୍ ଇନ୍ ଓଡ଼ିଶା କନ‌କ୍ଲେଭ-୨୦୧୮‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସେବା ଯତ୍ନ ଉପରେ ଆୟୋଜିତ ସେମିନାର ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଏହି ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି। ସେ କହିଛନ୍ତି, ରାଜ୍ୟରେ ୧୦୨ଟି ଡିଜିଟାଲ ଡିସପେନସରି ସ୍ଥାପନ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ଘରୋଇ କମ୍ପାନିଙ୍କ ସହଯୋଗରେ ଏହା ସ୍ଥାପନ ହେବ। ଏଗୁଡ଼ିକ ସ୍ଥାପନ ବାବଦରେ ୯୦ କୋଟି ଟଙ୍କା ନିବେଶ ହେବ। ଏତଦବ୍ୟତୀତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆଉ ୨୫ଟି ନୂଆ ଡାକ୍ତରଖାନା ନିର୍ମାଣ ହେବ। ଏହି ଡାକ୍ତରଖାନା ଗୁଡ଼ିକ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ହେବ। ୨୫ଟି ନୂଆ ଡାକ୍ତରଖାନା ସ୍ଥାପନ ବାବଦରେ ୧୩୦୦ କୋଟି ଟଙ୍କା ନିବେଶ ହେବ। ସେହିଭଳି କେୟାର ହସ୍ପିଟାଲ ସହଯୋଗରେ ଝାରସୁଗୁଡ଼ାରେ ଏକ ହୃ‌ଦରୋଗ ଚିକିତ୍ସାଳୟ ସ୍ଥାପନ ହେବ। ଏବାବଦରେ ୭୦ କୋଟି ଟଙ୍କା ନିବେଶ ହେବ। ଟାଟା ଟ୍ରଷ୍ଟ ସହଯୋଗରେ ଭୁବନେଶ୍ବରଠାରେ ମଧ୍ୟ ଏକ କର୍କଟ ରୋଗ ଚିକିତ୍ସାଳୟ ୬୦୦ କୋଟି ଟଙ୍କାରେ ପ୍ରତିଷ୍ଠା କରାଯିବ।
ଏତଦବ୍ୟତୀତ ରାଜ୍ୟରେ ଔଷଧ ଓ ମେଡିକାଲ ଯନ୍ତ୍ରାଂଶ ନିର୍ମାଣ ନେଇ ରହିଥିବା ସୁବିଧା ସୁଯୋଗ ଉପରେ ମଧ୍ୟ ସେମିନାରେ ଆଲୋଚନା ହୋଇଥିଲା। ଏଥିରେ ଦେଶ ବିଦେଶର ଖ୍ୟାତନାମା ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ଓ ନିବେଶକ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସର ବି ଆର ଲାଇଫ୍‌ର ଅଧ୍ୟକ୍ଷ ଡା. ବି. ଆର. ସେଟ୍ଟି, ମେଡିକା ଗ୍ରୁପ୍ ଅଫ୍ ହସ୍ପିଟାଲ୍ସର ଅଧ୍ୟକ୍ଷ ଡାକ୍ତର ଆଲୋକ ରୟ, ଟାଟା ଟ୍ରଷ୍ଟର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଡା. ହରିଶ କ୍ରିଷ୍ଣାସ୍ବାମୀ, ମେସର୍ସ ଜିକିଟ୍‌ଜା ହେଲଥକେୟାର ଲିମିଟେଡର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ନରେଶ ଜୈନ, ଗ୍ଲୋକାଲ ହେଲ୍‌ଥକେୟାର ଲିମିଯେଡର ସହପ୍ରତିଷ୍ଠାତା ତଥା ସିଇଓ ଡ ଅଜିମ୍ ସବାହତ୍, ଏଲ. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଡା. ତାରାପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସେମିନାରରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା-ପ୍ରତ୍ୟେକ ଜୀବନ ମୂଲ୍ୟ ରଖେ’ ଶୀର୍ଷକରେ ଭିଜନ-୨୦୨୫ର ଉନ୍ମୋଚନ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଓ ଏନଏଚଏମ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର