ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ଇଡ୍କୋ ଏବଂ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଭାରତୀୟ ତୈଳ ନିଗମ (ଆଇଓସିଏଲ୍) ମଧ୍ୟରେ ଆଜି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ଉକ୍ତ ପ୍ରକଳ୍ପରେ ଆଇଓସିଏଲ୍ ଇକ୍ୱିଟି ଅଂଶୀଦାର ହେବା ପାଇଁ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏହି ପ୍ଲାଷ୍ଟିକ ପାର୍କ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ରସାୟନ ଏବଂ ପେଟ୍ରୋ ରସାୟନ ମନ୍ତ୍ରାଳୟ ପକ୍ଷରୁ ୪୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ସାରିଛି ବୋଲି ଏହି ଅବସରରେ କେନ୍ଦ୍ର ରସାୟନ ଏବଂ ପେଟ୍ରୋ ରସାୟନ ସଚିବ ରାଜୀବ କାପୁୁର ସୂଚନା ଦେଇଥିଲେ। ଏହି ପ୍ଲାଷ୍ଟିକ ପାର୍କରେ ପ୍ଲାଷ୍ଟିକ କ୍ଷେତ୍ରର ଅନେକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢ଼ି ଉଠିବ। ଏହାଦ୍ୱାରା ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି।
ଏମ୍ସିପିଆଇ ଏବଂ ଭାରତୀୟ ତୈଳ ନିଗମ ମଧ୍ୟରେ ଆଜି ପେଟ୍ରୋ ରସାୟନ ନିବେଶକ ସମ୍ମିଳନୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥା ଓଡିଶାରେ ଏକ ବନ୍ଦରଭିତ୍ତିକ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କରିବେ। ଏଥିରେ କେତେ ପୁଞ୍ଜିନିବେଶ କରାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର ହେବ। ବୟନ ଶିଳ୍ପ ପାଇଁ ଆବଶ୍ୟକ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଆଇଓସିଏଲ୍ ଏବଂ ଏମସିପିଆଇ ପ୍ରସ୍ତୁତ କରି ଆସୁଛନ୍ତି। ଭାରତୀୟ ତୈଳ ନିଗମ ତାର ପେଟ୍ରୋରସାୟନ ପ୍ରକଳ୍ପ ୟୁନିଟ ଗୁଡିକରୁ ମନୋ-ଇଥାନଲ ଗ୍ଲାଇକୋଲ ପ୍ରସ୍ତୁତ କରୁଥିବା ବେଳେ ଏମ୍ସିପିଆଇ ବିଶୋଧିତ ଟେରିପ୍ଥାଲିକ ଏସିଡ ଉତ୍ପାଦନ କରୁଛି । ଏହି ଦୁଇଟି କଂଚାମାଲ ଉପଯୋଗରେ ପଲିଷ୍ଟାର ଫାଇବର ବା ସୂତା ପ୍ରସ୍ତୁତ ହୋଇଥାଏ । ଏହି ଦୁଇଟି କଂଚାମାଲ ଓଡିଶାରେ ଉପଲବ୍ଧ ହେବ ଏବଂ ଏସବୁ ଆଧାରରେ ବନ୍ଦରଭିତ୍ତିକ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ରରେ ଉଲ୍ଲେଖ ରହିଛି।