ଭୁବନେଶ୍ବର: ରାଜ୍ୟ ସରକାର ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନ ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ଆସନ୍ତା ମାସରେ ଏକ ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଯାଉଛି। ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ଶିଳାନ୍ୟାସ ଆଉ କିଛିଦିନ ପରେ ହେବ। ସେଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତ ମାସ ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କମ୍ପାନିର ଏମ୍ଡି ରଣ୍ଜିତ ପେଣ୍ଡୁର୍ଥି ସାକ୍ଷାତ କରି ଏହି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। କିଛି ଦିନ ପୂର୍ବେ ଇଣ୍ଡିଆ ସେମିକଣ୍ଡକ୍ଟର ମିସନ (ଆଇଏସ୍ଏମ୍) ଅଧୀନରେ ଯେଉଁ ଦୁଇଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା, ସେଥିରୁ ଗୋଟିଏ ହେଉଛି ସିକ୍ସେମ୍ର ପ୍ରକଳ୍ପ।
ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ପ୍ରକଳ୍ପକୁ ଇନ୍ଫୋ ଭାଲିରେ ସ୍ଥାପନ କରିବ। ସେଥିପାଇଁ ରାଜ୍ୟ ସରକାର ୨୩ ଏକର ଜମି ଯୋଗାଇ ଦେଇଛନ୍ତି। ଏଥିରେ କମ୍ପାନି ୨୦୬୭ କୋଟି ଟଙ୍କା ନିବେଶ କରିବ। କମ୍ପାନିର ଉତ୍ପାଦକୁ ଇଲେକ୍ଟ୍ରିକ୍ ଯାନ (ଇଭି), ଅକ୍ଷୟ ଶକ୍ତି ଓ ସ୍ମାର୍ଟ ଗ୍ରିଡ୍ ସିଷ୍ଟମ୍ରେ ବ୍ୟବହାର କରାଯିବ। କମ୍ପାନି ବର୍ଷକୁ ୬୦,୦୦୦ ଏସ୍ଆଇସି ୱାଫର୍ ଉତ୍ପାଦନ ଓ ୯୬ ନିୟୁତ ମୋସଫେଟ୍ ଓ ଡାୟୋଡ୍ ପ୍ୟାକେଜିଂ କରିବ। ଏହି ପ୍ରକଳ୍ପରେ ୧୦୦୦ ପ୍ରତ୍ୟକ୍ଷ ଓ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।
ଅନ୍ୟ ପକ୍ଷରେ, ଆମେରିକାର ୩ଡି ଗ୍ଲାସ୍ ସଲ୍ୟୁସନ୍ସ ମଧ୍ୟ ଓଡ଼ିଶାରେ ୧୯୪୩ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ଏହି ପ୍ରକଳ୍ପକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଇନ୍ଫୋ ଭାଲି-୨ର ଇଏସ୍ଡିଏମ୍ ପାର୍କରେ ଉକ୍ତ ପ୍ରକଳ୍ପ ସ୍ଥାପନ କରାଯିବ। ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କାରଖାନାକୁ ଆର୍ଆଇଆର୍ ପାୱାର୍ ଇଲେକ୍ଟ୍ରୋନିକ୍ସ ଆରମ୍ଭ କରିଥିଲା। ଏହା ୬୨୦ କୋଟି ଟଙ୍କା ନିବେଶରେ ପ୍ରଥମ ସିଲିକନ୍ କାର୍ବାଇଡ୍ କାରଖାନା ସ୍ଥାପନ କରୁଛି। ତାହାର ନିର୍ମାଣ କାର୍ଯ୍ୟ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/semiconductor-2025-10-27-02-50-16.jpg)