ବ୍ୟବସାୟୀଙ୍କୁ ଠକି ଫ୍ଲିପ୍‌କାର୍ଟର ପ୍ରତିଷ୍ଠାତା ଓ କର୍ମଚାରୀ ଅଡୁଆରେ

ବେଙ୍ଗାଲୁରୁ: ଜଣେ ବ୍ୟବସାୟୀଙ୍କୁ ଠିକିଥିବା ଅଭିଯୋଗରେ ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲପ୍‌କାର୍ଟର ସଂସ୍ଥାପକ ସଚିନ ବଂଶଲ, ବିନ୍ନି ବଂଶଲ ଏବଂ କମ୍ପାନିର ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ବୁକ୍‌ କରାଯାଇଛି। ଫ୍ଲିପ୍‌କାର୍ଟକୁ ଯୋଗାଇ ଦେଇଥିବା ୧୨, ୫୦୦ଟି ଲ୍ୟାପ୍‌ଟପ୍‌ ବାବଦରେ ୯. ୯୬ କୋଟି ଟଙ୍କା ସେ ବ୍ୟବସାୟୀ ପାଇ ନାହାନ୍ତି।

ସଚିନ ବଂଶଲ, ବିନ୍ନି ବଂଶଲ, ସେଲ୍‌ସ୍‌ ଡାଇରେକ୍ଟର୍‌ ହରି, ଆକାଉଣ୍ଟ୍‌ସ୍‌ ମ୍ୟାନେଜର ସୁମିତ ଆନନ୍ଦ ଏବଂ ଶାରାକ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆ ଯାଇଥିଲା। ଇନ୍ଦ୍ରନଗରସ୍ଥିତ ସି-ଷ୍ଟୋର୍‌ କମ୍ପାନିର ମାଲିକ ନବୀନ କୁମାର ଏଫ୍‌ଆଇଆର୍‌ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଥିଲା।

ନଭେମ୍ବର ୨୧ ତାରିଖରେ ଦେଇଥିବା ଅଭିଯୋଗ ପତ୍ରରେ ନବୀନ ଦର୍ଶାଇଥିଲେ ଯେ ଫ୍ଲିପ୍‌କାର୍ଟକୁ ଲ୍ୟାପ୍‌ଟପ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଯୋଗାଇବାକୁ ସେ ଚୁକ୍ତି କରିଥିଲେ। ଫ୍ଲିପ୍‌କାର୍ଟର ‘ବିଗ୍‌ ବିଲିୟନ୍‌ ଡେ’ ସେଲ୍‌ ପାଇଁ ସେ ଜୁନ୍‌ ୨୦୧୫ ରୁ ଜୁନ୍‌ ୨୦୧୬ ମଧ୍ୟରେ୧୪୦୦୦ଟି ଲ୍ୟାପ୍‌ଟପ୍‌ ସପ୍ଲାଏ କରିଥିଲେ।

ଫ୍ଲିପ୍‌କାର୍ଟ ତାଙ୍କୁ ୧, ୮୪୨ଟି ଲ୍ୟାପ୍‌ଟପ୍‌ ଫେରାଇ ଦେଇଛି, କିନ୍ତୁ ବାକି ଲ୍ୟାପ୍‌ଟପ୍‌ଗୁଡ଼ିକ ବାବଦରେ ଟଙ୍କା ଦେଇ ନାହିଁ। ବକେୟା ପରିଶୋଧ କରିବାକୁ କହିବାରୁ ଫ୍ଲିପ୍‌କାର୍ଟ ମିଛିରେ କହୁଛି କି, ସେ ୩, ୯୦୧ଟି ଲ୍ୟାପ୍‌ଟପ୍‌ ଫେରାଇ ଦେଇଛି। ଫେରସ୍ତ ମିଳି ନ ଥିବା ଲ୍ୟାପ୍‌ଟପ୍‌ର ମୂଲ୍ୟ ୯, ୯୬, ୨୧, ୪୧୯ ଟଙ୍କା ବୋଲି ଏଫ୍‌ଆଇଆର୍‌ରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର