ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବ ଆଜି ପତଞ୍ଜଳିର ଆସନ୍ତା ୫ ବର୍ଷର ଯୋଜନା ଘୋଷଣା କରିଛନ୍ତି। କଂପାନି ଅଧୀନରେ ଥିବା ଚାରିଟି ସଂସ୍ଥାକୁ ଷ୍ଟକ ବଜାରରେ ପଞ୍ଜୀକୃତ କରିବା ଯୋଜନା ରହିଛି। ପ୍ରଥମେ ପତଞ୍ଜଳି ଆୟୁର୍ବେଦ ଷ୍ଟକ ବଜାରରେ ପ୍ରବେଶ କରିବ। ସ୍ବଦେଶୀ ଉତ୍ପାଦ ବିକଶିତ କରି ଏହି ସଂସ୍ଥା ଦେଶର ଘରେ ଘରେ ପରିଚିତ ହୋଇପାରିଛି। କଂପାନି ଅଧୀନରେ ଥିବା ଏକମାତ୍ର ସଂସ୍ଥା ପତଞ୍ଜଳି ଫୁଡ୍‌ସ ଷ୍ଟକ ବଜାରରେ ପ୍ରବେଶ କରିଛି। ଏହା ବ୍ୟତୀତ କଂପାନିର ଔଷଧ, ୱେଲ୍‌ନେସ୍‌ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ୟବସାୟକୁ ମଧ୍ୟ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

Advertisment

ବର୍ତ୍ତମାନ ପତଞ୍ଜଳିର ମୋଟ କାରବାର ୪୦ ହଜାର କୋଟି ଟଙ୍କା ପାଖାପାଖି ରହିଛି। ଆସନ୍ତା ୫-୭ ବର୍ଷ ଭିତରେ ତାହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପତଞ୍ଜଳି ଫୁଡ୍‌ସରୁ କଂପାନି ୫୦୦୦ କୋଟି ଟଙ୍କାର ଇବିଆଇଟିଏ ସ୍ତର ହାସଲ କରିବାକୁ ଚାହୁଛି। ‌ଅଏଲ୍‌ ପାମ୍ ଚାଷ ଓ ପ୍ରକ୍ରିୟାକରଣରୁ କଂପାନି ୨୦୦୦ କୋଟି ଟଙ୍କା, ପାରମ୍ପରିକ ଖାଇବା ତେଲ ବ୍ୟବସାୟରୁ ୧୫୦୦-୨୦୦୦ କୋଟି ଟଙ୍କା, ଏଫ୍ଏମ୍‌ସିଜି ଖାଦ୍ୟ ବ୍ୟବସାୟରୁ ୧୦୦୦ କୋଟି ଟଙ୍କା ଓ ନ୍ୟୁଟ୍ରାସ୍ୟୁଟିକାଲ୍‌ସରୁ ୫୦୦-୧୦୦୦ କୋଟି ଟଙ୍କା ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପତଞ୍ଜଳି ବିରୋଧରେ ବ୍ୟାପକ ଷଡ଼୍‌ଯନ୍ତ୍ର ରଚନା କରାଯାଉଥିବା ବାବା ରାମଦେବ କହିଛନ୍ତି। ବହୁ ଅଭିଯୋଗର ସମ୍ପୂର୍ଣ୍ଣ ମିଛ ବୋଲି ଜଣାଇବା ଲାଗି ସେ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। କିଛି ମାମଲାରେ କଂପାନି ସଂପୃକ୍ତ ପକ୍ଷଙ୍କୁ ଆଇନଗତ ନୋଟିସ୍‌ ମଧ୍ୟ ପଠାଇଛି।