ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ଘରୋଇ କମ୍ପାନି ସହ ସହଭାଗିତାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଦାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।

Advertisment

ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଇଞ୍ଚୁଡ଼ି, ବାହୁଦାରେ ହେବ
ଗୋପାଳପୁର ବନ୍ଦର, ଜଟାଧାର ମୁହାଣ ଜେଟି ପାଇଁ ରିହାତି ଚୁକ୍ତିନାମା

ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟସ୍‌ ଲିମିଟେଡ୍ ସହ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏଥିରେ ୧୬,୫୫୪ କୋଟି ଟଙ୍କା ନିବେଶ କରାଯିବ। ଫଳରେ ବନ୍ଦରର ପରିବହନ କ୍ଷମତା ୫୦ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଦ୍ବାରା ୫ ହଜାର ନିଯୁକ୍ତି ସୃଷ୍ଟି ହେବ। ସେହିପରି, ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ୫୨ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୧୦୦ କୋଟି ଟଙ୍କା ନିବେଶ କରାଯିବ। ଏହା ଦ୍ବାରା ୩,୪୫୦ ନିଯୁକ୍ତି ସୃଷ୍ଟି ହେବ।

ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ର ସଭାପତି ଅନିଲ କୁମାର ସିଂହ ଓ ଗୋପାଳପୁର ପୋର୍ଟସ୍‌ ଲିମିଟେଡ୍‌ର ବ୍ୟବସାୟ ମୁଖ୍ୟ ସନ୍ଦିପ ଜୟସ୍ୱାଲ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ ଯେ ଓଡିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି। ଓଡିଶାର ସୁଦୀର୍ଘ ଉପକୂଳରେ ଅଣ-ବୃହତ୍‌ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ, ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ପ୍ରଦାନ କରାଯିବ। ଏହି ଅବସରରେ ଅନ୍ୟମାନେ ଉପସ୍ଥିତ ଥିଲେ।