ନିଲାମ ହେବ ବିଏସ୍‌ଏନ୍‌ଏଲ୍‌ର ୪ ସମ୍ପତ୍ତି

ଗ୍ରାହକଙ୍କଠାରୁ ଆବେଦନ ଆହ୍ବାନ, ୬୬୦ କୋଟି ମିଳିବ

ନୂଆଦିଲ୍ଲୀ : ଦେଶର ଦୁଇ ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିକମ୍ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌)ର ଅଣ-ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏସ୍‌ଏନ୍‌ଏଲ୍‌ର ଚାରିଟି ଓ ଏମ୍‌ଟିଏନ୍‌ଏଲ୍‌ର ଦୁଇଟି ସମ୍ପତ୍ତି ବିକ୍ରି କରିବାକୁ ଗ୍ରାହକଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି। ଏମ୍ଏସ୍‌ଟିସି ପୋର୍ଟାଲ୍‌ ଜରିଆରେ ଏହି ସମ୍ପତ୍ତିଗୁଡ଼ିକୁ ନିଲାମ କରାଯିବ। ବିଏସ୍‌ଏନ୍‌ଏଲ୍‌ର ସମ୍ପତ୍ତିଗୁଡ଼ିକ ହାଇଦ୍ରାବାଦ, ଚଣ୍ଡିଗଡ଼, ଭାବନଗର ଓ କୋଲକାତାରେ ରହିଛି। ଏହି ଚାରି ସମ୍ପତ୍ତିରୁ ୬୬୦ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏମ୍‌ଟିଏନ୍‌ଏଲ୍‌ର ଦୁଇ ସମ୍ପତ୍ତି ମୁମ୍ବାଇରେ ରହିଛି ଯାହା ବିକ୍ରି ହେଲେ ସରକାର ୩୧୦ କୋଟି ଟଙ୍କା ପାଇବେ। ସମ୍ପତ୍ତି ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ପୁଞ୍ଜିପ୍ରତ୍ୟାହାର ଦାୟିତ୍ବରେ ଥିବା ଦିପମ୍ ବିଭାଗର ସଚିବ ତୁହିନ୍ କାନ୍ତ ପାଣ୍ଡେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ବିଭାଗ ତତ୍ତ୍ବାବଧାନରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ସମ୍ପତ୍ତି ବିକ୍ରି ହେବ। ବିଭିନ୍ନ ସରକାରୀ କଂପାନି ପାଖରେ ଥିବା ଅଣ-ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ବିକ୍ରି ଓ ନିଲାମ କରି ସେଥିରୁ ରାଜସ୍ବ ହାସଲ କରିବା ଲାଗି ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ‌କେଉଁ ସମ୍ପତ୍ତି ସବୁ ବିକ୍ରି କରାଯିବ ତାହାର ତାଲିକା ଦେବା ଲାଗି ସମସ୍ତ ସଂସ୍ଥାକୁ ସରକାର କହିଥିଲେ। ଏହି ଯୋଜନାର ଅଂଶସ୍ବରୂପ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ସମ୍ପତ୍ତି ବିକ୍ରି କରାଯାଉଛି।

ଦୁଇ ସରକାରୀ ଟେଲିକମ୍ ସଂସ୍ଥାର ପୁନରୁଦ୍ଧାର କରିବା ଲାଗି ସରକାର ୬୮ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ସେହି ପ୍ୟାକେଜ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଦୁଇ ସଂସ୍ଥା ପାଖରେ ଥିବା ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ବିକ୍ରି କରାଯିବ। କଂପାନି ପାଖରେ ଦିଲ୍ଲୀ, ମୁମ୍ବାଇ ଓ ନୋଏଡା ଭଳି ସ୍ଥାନରେ ଥିବା ଜମି ଓ ଆବାସିକ କ୍ବାଟର୍ସଗୁଡ଼ିକୁ ବିକ୍ରି କରାଯିବ। ଆଗାମୀ ଦିନରେ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକର ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିକୁ ମଧ୍ୟ ନିଲାମ କରାଯିବ। ଦିପମ୍ ବିଭାଗ ସହଯୋଗରେ ଏମ୍ଏସ୍‌ଟିସି ପୋର୍ଟାଲ୍‌ରେ ସେଗୁଡ଼ିକୁ ବିକ୍ରି କରାଯିବ। ବିଇଏମ୍ଏଲ୍‌ ଓ ସିପିଙ୍ଗ କର୍ପୋରେସନ୍ ଭଳି ସଂସ୍ଥା ପାଖରେ ଥିବା ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ଆଗାମୀ ଦିନରେ ନିଲାମ କରାଯିବ। ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବା ଲାଗି ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍‌ଲାଇନ୍ ଘୋଷଣା କରାଯାଇଛି। ଏହା ଜରିଆରେ ସରକାର ୬ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ‌ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ସଂସ୍ଥା ଅଧୀନରେ ଥିବା ବହୁ ସମ୍ପତ୍ତି ଚିହ୍ନଟ କରାଯାଇଛି। ଗୋଟିଏ ପରେ ଗୋଟିଏ ବିକ୍ରି କରାଯିବ।

ସମ୍ବନ୍ଧିତ ଖବର