ନୂଆଦିଲ୍ଲୀ: ଆଗାମୀ ଦିନରେ ନାନୋଠାରୁ ଆହୁରି ଛୋଟ କାର ରାସ୍ତାରେ ଦେଖିବାକୁ ମିଳିବ। ସରକାର କ୍ବାଡ୍ରିସାଇକଲ୍ର ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ଦେଇଥିବାରୁ ଏଭଳି କାର ଦେଖିବାକୁ ମିଳିବ। ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଏଣ୍ଟ୍ରି ଲେଭେଲ କାର୍ ବା କମ୍ ମୂଲ୍ୟର କାର ମଧ୍ୟରେ ଏହା ଆଉ ଏକ ବିକଳ୍ପ ହେବ ବୋଲି ଆଶା କରାଯାଉଛି। ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ କ୍ବାଡ୍ରିସାଇକଲକୁ ଅଣ-ପରିବହନ ଯାନ ଭାବେ ସାମିଲ କରିଥିବାରୁ ଏଭଳି ସମ୍ଭାବନା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରାସ୍ତାରେ କ୍ବାଡ୍ରିସାଇକଲକୁ ଏକ ନୂଆ ବର୍ଗର ଯାନ ହିସାବରେ ଗଡ଼ିବା ପାଇଁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଅନୁମତି ଦେଇଥିଲା। କ୍ବାଡ୍ରିସାଇକଲର ମାନ ଯଥା ଏହାର ଓଜନ, ନିରାପତ୍ତା ଏବଂ ଅନ୍ୟାନ୍ୟ ମାନ କଣ ରହିବ ସେ ସଂକ୍ରାନ୍ତ ଚୂଡ଼ାନ୍ତ ବିଜ୍ଞପ୍ତି ସରକାର ଜାରି କରିଥିଲେ।
ତେବେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବଜାଜ୍ ଅଟୋ ଲାଭବାନ ହେବାକୁ ଯାଉଛି। କାରଣ ବଜାଜ୍ ଅଟୋ ଏକମାତ୍ର ଭାରତୀୟ କମ୍ପାନି ଭାବେ କ୍ବାଡ୍ରିସାଇକଲ୍ ନିର୍ମାଣ କରୁଛି। ୨୦୧୨ରେ ବଜାଜ୍ କ୍ବାଡ୍ରିସାଇକଲ୍ ନିର୍ମାଣ ଆରମ୍ଭ କରିଥିଲା ଏବଂ ପରେ ଏହାର ନାମ କ୍ୟୁଟ୍ ଦେଇଥିଲା। ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇ ନଥିବାରୁ ଭାରତରେ ଏହାର ଚଳାଚଳକୁ ନେଇ ଶିଳ୍ପ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ହୋଇଥିଲା। ଏଭଳି ପରିସ୍ଥିତିରେ ବଜାଜ୍ ଅଟୋ କ୍ୟୁଟ୍କୁ ବିଦେଶକୁ ରପ୍ତାନି କରିଥିଲା। ଏହି ଗାଡ଼ିରେ ୨୧୬ ସିସିର ଇଞ୍ଜିନ ଲାଗିଥିବାବେଳେ ଓଜନ ୪ କୁଇଣ୍ଟାଲରୁ କମ୍ ଏବଂ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ କମ୍ ରହିବ ବୋଲି ଆଶା କରାଯାଉଛି। ଏହି ଗାଡ଼ି ସର୍ବାଧିକ ୭୦ କିମି ବେଗରେ ଯାତ୍ରା କରିପାରିବ।
ନାନୋଠୁ ଛୋଟ ଚାରିଚକିଆ
/sambad/media/post_attachments/wp-content/uploads/2018/11/mini-nana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)