ଜିଏସ୍‌ଟିକୁ ୪ ବର୍ଷ ପୂରିଲା: ଓଡ଼ିଶାରେ ସଂଗ୍ରହ ଲକ୍ଷେ କୋଟି ଟପିଲା, ଓଡ଼ିଶାର ୧୨୮ ଟିକସଦାତାଙ୍କୁ ସମ୍ବର୍ଦ୍ଧିତ କରିବ ସିବିଆଇସି

ଜିଏସ୍‌ଟି ଏକ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ସମସ୍ତ ପରୋକ୍ଷ ଟିକସର ମିଶ୍ରଣ କରି ୨୦୧୭ ଜୁଲାଇରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଆୟୋଜନ କରି ଏହି ଐତିହାସିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଆଜି ଜିଏସ୍‌ଟିକୁ ଚାରି ବର୍ଷ ପୂରିଛି। ଏହି ୪ ବର୍ଷରେ ଜିଏସ୍‌ଟି ସଂଗ୍ରହ କରିବାରେ ଓଡ଼ିଶା ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ୨୦୧୭ ଜୁଲାଇରୁ ୨୦୨୧ ଜୁନ୍ ମଧ୍ୟରେ ରାଜ୍ୟରେ ମୋଟ ୧,୦୮,୩୮୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ୨୦୧୭-୧୮ରେ ୧୪,୮୪୭.୯୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଏହାର ପରବର୍ତ୍ତୀ ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ରେ ସେଥିରେ ଦ୍ରୁତ ବୃଦ୍ଧି ଘଟିଥିଲା ଓ ସେହି ବର୍ଷ ପାଖାପାଖି ଦୁଇ ଗୁଣା ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଥିଲା। ୨୦୧୯-୨୦ ଓ ୨୦୨୦-୨୧ରେ ଜିଏସ୍‌ଟି ସଂଗ୍ରହ ୨୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି।

ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍‌ଙ୍କ ତଥ୍ୟ ଅନୁଯାୟୀ ୨୦୧୭ରୁ ୨୦୨୧ ମେ’ ମଧ୍ୟରେ ରାଜ୍ୟରେ ମୋଟ ୨୨,୭୨୩ ‌କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ସଂଗ୍ରହ କରାଯାଇଥିବା ବେଳେ ୩୨,୯୧୭.୭୩ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି), ୨୯,୭୪୪.୬ କୋଟି ଟଙ୍କାର ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି) ଓ ୨୩,୦୦୦.୦୮ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। ଜିଏସ୍‌ଟିର ଚାରି ବର୍ଷ ପୂର୍ତ୍ତି ଅବସ‌ରରେ ଓଡ଼ିଶାର ପ୍ରଦର୍ଶନ ‌ସମ୍ପର୍କ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଗତ ୬-୭ ମାସ ଧରି ଓଡ଼ିଶାରେ ମାସିକ ଜିଏସ୍‌ଟି ସଂଗ୍ରହରେ ବୃଦ୍ଧି ୨୦%ରୁ ଅଧିକ ରହୁଛି। ଦେଶର ସବୁ ବଡ଼ ରାଜ୍ୟ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ସର୍ବାଧିକ ରହିଛି। ଜୁନ୍ ମାସରେ ମଧ୍ୟ ସଂଗ୍ରହରେ ୧୨-୧୩% ବୃଦ୍ଧି ହୋଇଥିବା ସେ ଅନୁମାନ ଲଗାଇଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟରେ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ଦୁଇ ଲକ୍ଷରୁ ଅଧିକ ରହିଥିବା ସେ କହିଛନ୍ତି। ଓଡ଼ିଶାରେ ୪୫ଟି ଜିଏସ୍‌ଟି ସର୍କଲ୍‌ ଥିବା ବେଳେ ସେଥି ମଧ୍ୟରୁ ୧୨-୧୫ଟି ସର୍କଲ୍‌ରୁ ୬୦-୭୦% ଜିଏସ୍‌ଟି ଆଦାୟ ହେଉଛି। ଭୁବନେଶ୍ବରର ୪ଟି ସର୍କଲ୍‌, କଟକର ଦୁଇଟି, ସମ୍ବଲପୁର, ଯାଜପୁର, ବଡ଼ବିଲ, ରାଉରକେଲା ଭଳି ସର୍କଲ୍‌ରେ ଟିକସ ସଂଗ୍ରହ ବେଶ ଉତ୍ସାହଜନକ ରହୁଛି। ଶିଳ୍ପ କାରଖାନା ଥିବା ସ୍ଥାନରୁ ଅଧିକ ଜିଏସ୍‌ଟି ଆଦାୟ ହେଉଛି। ମାସିକ ଇ-ୱେଲ୍ ବିଲ୍‌ ସୃଷ୍ଟି ହେବାରେ ୨୦-୩୦ ପ୍ରତିଶତ ବୃଦ୍ଧି ଧାରା ବଜାୟ ରହିଥିବା ସେ କହିଛନ୍ତି।

ରାଜ୍ୟରେ ଖଣି ଓ ଧାତବ ଶିଳ୍ପରୁ ଅଧିକ ଜିଏସ୍‌ଟି ଆଦାୟ ହେଉଛି। ଗତ କିଛି ମାସ ଧରି ଏହି ସବୁ କ୍ଷେତ୍ରରୁ ଅଧିକ ଜିଏସ୍‌ଟି ମିଳୁଥିବା କାରଣ ସମ୍ପର୍କରେ ଶ୍ରୀ ଲୋହାନୀ କହିଛନ୍ତି ଯେ ଧାତବ ପଦାର୍ଥ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକ ଦାମ୍ ବଢ଼ାଇଥିବାରୁ ଅଧିକ ଜିଏସ୍‌ଟି ମିଳୁଛି। ଏହା ବ୍ୟତୀତ ରାଜ୍ୟରେ କୋଇଲା ଉତ୍ପାଦନ ମଧ୍ୟ ବଢ଼ିଛି। ସେଥିପାଇଁ ସେସ୍‌ ଆଦାୟ ବଢ଼ୁଥିବା ସେ କହିଛନ୍ତି। ଜିଏସ୍‌ଟି ଠକେଇ ରୋକିବା ଲାଗି କମିସନରେଟ୍ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତଥ୍ୟ ଆଧାରରେ ଠକମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ଯେଉଁଠାରେ ତଥ୍ୟରେ ଗଡ଼ବଡ଼ ଦେଖାଯାଉଛି ସେଭଳି ଠକମାନଙ୍କ ଉପରେ ନଜର ରଖି ସେମାନଙ୍କ ସମ୍ପର୍କିତ ସବୁ ପ୍ରକାର ତଥ୍ୟ ସଂଗ୍ରହ କରି ତଦନ୍ତ କରାଯାଉଛି। ଠକେଇ ହୋଇଥିବା ସ୍ପଷ୍ଟ ହେବା ପରେ ଗିରଫ କରାଯାଉଛି। ସେଥିପାଇଁ ଗିରଫ ‌େହାଇଥିବା ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଜାମିନ ମିଳୁନାହିଁ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ଓଡ଼ିଶାର ୧୨୮ ଟିକସଦାତାଙ୍କୁ ସମ୍ବର୍ଦ୍ଧିତ କରିବ ସିବିଆଇସି
ନୂଆଦିଲ୍ଲୀ: ଜିଏସ୍‌ଟିର ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ୫୪,୪୩୯ ଟିକସଦାତାଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସମ୍ପର୍ଦ୍ଧିତ କରିବ। ଓଡ଼ିଶାର ୧୨୮ ଜଣ ଟିକସଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି। ଜିଏସ୍‌ଟି ସଂଗ୍ରହ ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବା ଏହି ଟିକସଦାତାମାନଙ୍କୁ ପ୍ରଶଂସା‌ପତ୍ର ପ୍ରଦାନ କରାଯିବ। ଇ-ମେଲ୍ ଜରିଆରେ ତାହା ପଠାଯିବ। ଟିକସଦାତାମାନେ ତାହାର ପ୍ରିଣ୍ଟ୍‌ ବାହାର କରି ପ୍ରଦର୍ଶିତ କରିପାରିବେ। ଜିଏସ୍‌ଟି ସଫଳତା କାହାଣୀରେ ଏହି ଟିକସଦାତାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସାରା ଦେଶରେ ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ ୮୮% ଟିକସଦାତା ହେଉଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର।

ଜିଏସ୍‌ଟି ଏକ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଦୃଶ୍ୟପଟ୍ଟରେ ଜିଏସ୍‌ଟି ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଏହା ଟିକସ ସଂଖ୍ୟା କମ୍ କରିଥିବା ବେଳେ ଏକାଧିକ ନିୟମ ପାଳନ କରିବାରୁ ଟିକସଦାତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଏହା ବ୍ୟତୀତ ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ମଧ୍ୟ ହାଲୁକା କରିଛି ବୋଲି ସେ କହିଛନ୍ତି। ଉତ୍ପାଦନ ଶୁଳ୍କ, ସେବା କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍‌କୁ ମିଶାଇ ଜିଏସ୍‌ଟି ସୃଷ୍ଟି କରାଯାଇଥିଲା। ୨୦୧୭ ଜୁଲାଇ ୧ରୁ ଏହାକୁ ଲାଗୁ କରାଯାଇଛି। ଏହି ଚାରି ବର୍ଷ ମଧ୍ୟରେ ୪୦୦ ପ୍ରକାର ସାମଗ୍ରୀ ଓ ୮୦ ପ୍ରକାର ସେବା ଉପରୁ ଜିଏସ୍‌ଟି କମ୍ ହୋଇଛି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଏହି ସବୁ ସାମଗ୍ରୀ ଓ ସେବା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ପରିମାଣ ୩୧%ରୁ ଅଧିକ ଥିଲା। ଜିଏସ୍‌ଟି ଅଧୀନରେ ୧.୩ କୋଟି ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ଚାରି ବର୍ଷରେ ୬୬ କୋଟିରୁ ଅଧିକ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ ହୋଇଛି। ଦେଶରେ ୫, ୧୨,୧୮ ଓ ୨୮% ଭଳି ଚାରିଟି ସ୍ଲାବ୍‌ରେ ଜିଏସ୍‌ଟି ଲାଗୁ କରାଯାଉଛି।

ସମ୍ବନ୍ଧିତ ଖବର