ନୂଆଦିଲ୍ଲୀ: ବିଶ୍ବର ଦୁଇ ତୈଳ ଉତ୍ପାଦନକାରୀ ଦେଶ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୧୦୫ ଡଲାରରୁ ଅଧିକ ହୋଇଯାଇଛି। ୨୦୧୪ ପରେ ପ୍ରଥମ ଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଞ୍ଚିଛି। ବଜାରରେ ତୈଳର ଘୋର ଅଭାବ ଦେଖାଦେବାର ଆଶଙ୍କା ରହିଛି। ସେଥିପାଇଁ ଦାମ୍ ହୁ ହୁ ହୋଇ ବଢ଼ୁଛି। ନିଜ ଆବଶ୍ୟକତାର ୮୨% ତେଲକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଲାଗି ଏହା ଅତ୍ୟନ୍ତ ଖରାପ ଖବର। ଦେଶରେ ଲୋକମାନେ ଏବେବି ଏକ ଲିଟର ପେଟ୍ରୋଲ୍ କିଣିବା ଲାଗି ୧୦୦ ଟଙ୍କାରୁ ଅଧିକ ଦାମ୍ ଦେଉଛନ୍ତି। ଅଶୋଧିତ ତୈଳ ଦର ଯେତେ ବଢ଼ିବ ତାହା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଏବଂ ଏଭଳିକି ଏଲ୍ପିଜି ଓ ବିମାନ ଇନ୍ଧନକୁ ଆହୁରି ମହଙ୍ଗା କରିବା ଆଶଙ୍କା ରହିଛି। ଆଜି ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୧୦୫.୦୮ ଡଲାରକୁ ବୃଦ୍ଧି ପାଇଛି। ୨୦୨୨ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ତେଲ ଦର ବ୍ୟାରେଲ ପିଛା ୨୨ ଡଲାର ବୃଦ୍ଧି ଘଟିଲାଣି। ଭାରତ ବିଶ୍ବର ତୃତୀୟ ବୃହତ୍ ତୈଳ ଆମଦାନି ରାଷ୍ଟ୍ର। ତେଣୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରବୃଦ୍ଧି ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସମ୍ଭାବ୍ୟ ତୈଳ ସଙ୍କଟର ମୁକାବିଲା ଲାଗି ନିଜ ତୈଳ ଭଣ୍ଡାରରେ ଅଧିକ ତେଲ ଭର୍ତ୍ତି କରିବାକୁ ସରକାର ଯୋଜନା ରଖିଛନ୍ତି। ଦେଶରେ ଯେତେ ଖାଲି ତେଲ ଟାଙ୍କି ରହିଛି ତାହାକୁ ଭର୍ତ୍ତି କରିବା ଉଦ୍ୟମ ଆରମ୍ଭ ହୋଇଛି। ଭାରତର ଯେଉଁ ତୈଳ ଭଣ୍ଡାରଗୁଡ଼ିକ ରହିଛି ସେଥିରେ ୩୯.୧ ନିୟୁତ ବ୍ୟାରେଲ୍ ତେଲ ରହିପାରିବ। ତାହା ୯ ଦିନର ଆବଶ୍ୟକତା ପୂରଣ କରିପାରିବ। ୟୁକ୍ରେନ୍ ଉପରେ ରୁଷିଆର ଅକ୍ରମଣ ଦେଶର ଆର୍ଥିକ ସ୍ଥିରତା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏହି ଯୁଦ୍ଧର ପ୍ରଭାବ କେଉଁ ସବୁ କ୍ଷେତ୍ର ଉପରେ ପଡ଼ିବ ଓ କ’ଣ ସବୁ ସମସ୍ୟା ଦେଖାଦେବ? ଏହି ସବୁ ଆହ୍ବାନଗୁଡ଼ିକର ମୁକାବିଲା ଲାଗି କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ତାହାକୁ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଛି।
ଯୁଦ୍ଧ ଆଜି ଭାରତର ଷ୍ଟକ ମାର୍କେଟକୁ ଥରେଇ ଦେଇଛି। ମିଜାଇଲ ମାଡରେ କୋଠାବାଡ଼ି ଭୁଶୁଡ଼ିଲା ଭଳି ପୁଞ୍ଜି ବଜାର ଧରାଶାୟୀ ହୋଇଛି। ନିବେଶକମାନେ ଛାନିଆ ହୋଇଯାଇଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୨୭୦୨ ପଏଣ୍ଟ(୪.୭୨ ପ୍ରତିଶତ)ର ବୃହତ୍ ହ୍ରାସ ଘଟିଛି। ଏହାଦ୍ବାରା ସେନସେକ୍ସ ଆଜି ୫୪,୫୩୦ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୮୧୫ ପଏଣ୍ଟ (୪.୭୮ ପ୍ରତିଶତ) ହ୍ରାସ ଘଟି ୧୬,୨୪୮ ପଏଣ୍ଟରେ ବନ୍ଦ ହୋଇଛି। ପୁଞ୍ଜି ବଜାର ଭୟଙ୍କର ଭାବେ ତଳକୁ ଖସିବା ଦ୍ବାରା ଦଲାଲ ଷ୍ଟ୍ରିଟ୍ର ନିବେଶକମାନେ ଆଜି ପ୍ରାୟ ୧୩ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ସେନସେକ୍ସ ଗତ ୭ ଦିନ ହେଲା ହ୍ରାସ ପାଉଛି। ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୧ ଲକ୍ଷ କୋଟି ଟଙ୍କା, ଆଦାନି ଗ୍ରୁପ ୬୬ ହଜାର କୋଟି ଟଙ୍କା ହରାଇଛନ୍ତି। ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଅଟୋମୋବାଇଲ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରଗୁଡ଼ିକର ସେୟାର ମୂଲ୍ୟ ସର୍ବାଧିକ ହ୍ରାସ ପାଇଛି। । ଚଳିତମାସ ୧୬ ତାରିଖରୁ ଆଜି ସୁଦ୍ଧା ନିବେଶକମାନେ ପାଖାପାଖି ୭ଟି କାରବାର ଦିବସରେ ୨୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କେବଳ ଭାରତ ନୁହେଁ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ ଆଦି ବଜାରରେ ମଧ୍ୟ ୟୁକ୍ରେନ ଉତ୍ତେଜନାର ପ୍ରଭାବ ଦେଖିବାକୁ ମିଳିଛି। ଆମେରିକାର ୱାଲ୍ଷ୍ଟ୍ରିଟ୍, ଜାପାନର ନିକେଇ ୨୨୫, ହଂକଂର ହ୍ୟାଙ୍ଗ ସେଙ୍ଗ୍ତ, ସାଂଘାଇ କମ୍ପୋଜାଇଟ୍ ଇଣ୍ଡେକ୍ସ, ସିଓଲର କୋସ୍ପି, ସିଡ୍ନିର ଏସଆଣ୍ଡ୍ ପି-ଏଏସଏକ୍ସ ୨୦୦ରେ ହ୍ରାସ ଘଟିଛି। ମସ୍କୋରେ ଷ୍ଟକ ଏକ୍ସଚେଞ୍ଜ ୧୪ %ରୁ ଅଧିକ ହ୍ରାସ ହେବାରୁ ସେଠାରେ କାରବାର ବନ୍ଦ ହୋଇଥିଲା।
ସୁନା ୨,୨୫୦ ଟଙ୍କା ମହଙ୍ଗା
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପ୍ରଭାବରେ ଆଜି ସୁନା ମୂଲ୍ୟରେ ହଠାତ୍ ୨୨୫୦ ଟଙ୍କାର ବଡ଼ ଧରଣର ବୃଦ୍ଧି ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୨,୬୩୦ ଟଙ୍କା ହୋଇଛି। ସେହିପରି, ରୁପା ମୂଲ୍ୟ ୫% ବୃଦ୍ଧି ପାଇ ୬୭,୯୨୬ ଟଙ୍କା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୯୨୫ ଡଲାରରୁ ଅଧିକ ହୋଇଛି। ସାଧାରଣତଃ କୌଣସି ସଙ୍କଟ ଦେଖାଦେଲେ ସୁନା ମୂଲ୍ୟ ବଢ଼ିଯାଏ। ଯେହେତୁ ଯୁଦ୍ଧ ଆରମ୍ଭ ହୋଇଛି ତେଣୁ ସୁନା ମହଙ୍ଗା ହେବା ସ୍ବାଭାବିକ। ଅନ୍ୟ କୌଣସି ସମ୍ପତ୍ତିରେ ନିବେଶ କଲେ କ୍ଷତି ସହିବାର ଆଶଙ୍କା ଥିବାରୁ ନିବେଶକମାନେ ସୁନାରେ ନିବେଶ କରିଥାନ୍ତି।
ଦୁର୍ବଳ ହେଲା ଟଙ୍କା
ଆଜି ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟ ଦୁର୍ବଳ ହୋଇଛି। ୧ ଡଲାର ମୂଲ୍ୟ ଆଜି ୧.୫ ପ୍ରତିଶତ ଦୁର୍ବଳ ହୋଇ ୭୫.୬୫ ଟଙ୍କାରେ ବନ୍ଦ ହୋଇଛି। ଡଲାର ତୁଳନାରେ ଟଙ୍କା ଆଜି ୯୯ ପଇସା ଦୁର୍ବଳ େହାଇଛି। ଏଥିସହିତ ରୁଷ ମୁଦ୍ରା ରୁବଲ୍ ମଧ୍ୟ ଆଜି ୭.୫ ପ୍ରତିଶତ ହ୍ରାସ ଘଟିଛି। ୧ ଡଲାର ମୂଲ୍ୟ ୮୭ ରୁବଲକୁ ଖସିଯାଇଛି। ଡଲାର ମହଙ୍ଗା ହେଉଥିବାରୁ ଆମଦାନି ମହଙ୍ଗା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/modipetrolpump-1614821090.jpg)