ଭାରତୀୟ ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା, ମେ’ ମାସରେ ଆସିଛି ୪୩,୮୩୮ କୋଟି

ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଅର୍ଥନୀତିମାନେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତ ଏକମାତ୍ର ଅର୍ଥନୀତି ଯାହାକି ନିଜର ଉଚ୍ଚ ଅଭିବୃଦ୍ଧିହାର ବଜାୟ ରଖିଛି । ଏହା ଫଳରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜିବଜାରରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେକରୁଛନ୍ତି ।

କିଛିଦିନ ପୂର୍ବେ ଆସିଥିବା ସରକାରୀ ତଥ୍ୟ ଅନୁସାରେ ୨୦୨୨-୨୩ରେ ଦେଶର ଅଭିବୃଦ୍ଧିହାର ୭.୨ ପ୍ରତିଶତ ଥିଲା, ଯାହାକି ବିଶ୍ବର ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ଥିଲା । ଏହା ବିଦେଶୀ ନିବେଶକଙ୍କୁ ଅଧିକ ଆକୃଷ୍ଟ କରୁଛି ।

ଗତ ମେ’ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଭାରତୀୟ ଷ୍ଟକ ବଜାରରେ ୪୩,୮୩୮ କୋଟି ଟଙ୍କା ନିବେଶ କରିଛନ୍ତି, ଯାହା କି ଗତ ୯ ମାସ ମଧ୍ୟରେ ସର୍ବାଧିକ । ଏହା ପୂର୍ବରୁ ୨୦୨୨ ଅଗଷ୍ଟରେ ଏଫ୍ ପିଆଇ ୫୧,୨୦୪ କୋଟି ଟଙ୍କା ନିବେଶ କରିଥିଲେ । ବଜାର ତଥ୍ୟ ଅନୁଯାୟୀ, ଏଫପିଆଇମାନେ ଚଳିତ ମାସରେ (ଜୁନ) ରେ ବି ନିବେଶ ଜାରି ରଖିଥିଲେ ଏବଂ ମାସର ପ୍ରଥମ ଦୁଇ କାରବାର ଦିନରେ ଷ୍ଟକ ବଜାରରେ ୬,୪୯୦ କୋଟି ଟଙ୍କା ନିବେଶ କରିଛନ୍ତି ।

୨୦୨୩ ଏପ୍ରିଲରେ ଇକ୍ୱିଟିରେ ଏଫପିଆଇର ନିବେଶ ୧୧,୬୩୦ କୋଟି ଟଙ୍କା ଏବଂ ମାର୍ଚ୍ଚରେ ମାତ୍ର ୭,୯୩୬ କୋଟି ଟଙ୍କା ଥିଲା । ମାର୍ଚ୍ଚରେ ନିବେଶ କମିବା ପଛର ମୁଖ୍ୟ କାରଣ ଏଫପିଆଇମାନେ ମାର୍ଚ୍ଚରେ ଆଦାନୀ ଗ୍ରୁପର ନିବେଶକୁ ହଟାଇ ଭାରତୀୟ ଷ୍ଟକ ବଜାରରୁ ଟଙ୍କା ଉଠାଇନେଇଥିଲେ । ତେବେ ଜିକ୍ୟୁଜି ପାର୍ଟନର ଦ୍ବାରା ଆଦାନୀ ଗ୍ରୁପ କମ୍ପାନିରେ ନିବେଶ କରିବା ଦ୍ବାରା ମାର୍ଚ୍ଚାରେ ନିବେଶ ରାଶି ୭,୯୩୬ କୋଟି ଟଙ୍କା ଛୁଇଁପାରିଥିଲା ।

 

ସମ୍ବନ୍ଧିତ ଖବର