ଗ୍ରାହକଙ୍କୁ ଠକିଲେ ଜରିମାନା, ଜେଲ୍; ଲାଗୁ ହେଲା ଉପଭୋକ୍ତା ସୁରକ୍ଷା ନିୟମ, ୨୦୧୯
ବିଭ୍ରାନ୍ତୀକରଣ ବିଜ୍ଞାପନ ମହଙ୍ଗା ପଡ଼ିବ, ଉତ୍ପାଦର ମାନ ପାଇଁ କଂପାନି ଉତ୍ତରଦାୟୀ ରହିବେ
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଠକିବା କଂପାନିଗୁଡ଼ିକୁ ମହଙ୍ଗା ପଡ଼ିବ। ଆଜିଠାରୁ ଦେଶରେ ନୂଆ ଉପଭୋକ୍ତା ସୁରକ୍ଷା ନିୟମ, ୨୦୧୯ ଲାଗୁ କରାଯାଇଛି। ଗ୍ରାହକଙ୍କୁ ଠକିବାକୁ ପ୍ରୟାସ କରୁଥିବା ସଂସ୍ଥାଗୁଡ଼ିକ ଲାଗି ନୂଆ ନିୟମରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ବିଷାକ୍ତ ବା ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତି କିମ୍ବା ବିକ୍ରି କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ପାଇଁ ଦଣ୍ଡବିଧାନ କରାଯାଇଛି। ସାମଗ୍ରୀର ଗୁଣ ଓ ମାନ ପାଇଁ କଂପାନିଗୁଡ଼ିକୁ ଉତ୍ତରଦାୟୀ କରିବା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା କରାଯାଇଛି। ଅପମିଶ୍ରିତ ଉତ୍ପାଦ କିମ୍ବା ବିଭ୍ରାନ୍ତୀକର ବିଜ୍ଞାପନ ଜରିଆରେ ଗ୍ରାହକଙ୍କୁ ଠକିବାକୁ ପ୍ରୟାସ କଲେ ୧୦ ଲକ୍ଷ ଟଙ୍କାର ଜରିମାନା ଗଣିବା ସହ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଦୋଷୀ ସାବ୍ୟସ୍ତ ସଂସ୍ଥାର ଲାଇସେନ୍ସକୁ ସ୍ଥାୟୀ ଭାବେ ରଦ୍ଦ କରାଯାଇପାରିବ।
ନୂଆ ନିୟମ ଅଧୀନରେ, ଦେଶରେ ଏକ ‘କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ’ ସ୍ଥାପନ କରାଯିବ ଯାହା ଗ୍ରାହକଙ୍କ ବିଭିନ୍ନ ସ୍ବାର୍ଥର ପ୍ରସାର, ସୁରକ୍ଷା ଉପରେ କାର୍ଯ୍ୟ କରିବ। ସାମଗ୍ରୀକୁ ଫେରସ୍ତ ନେବା, ଗ୍ରାହକଙ୍କୁ ତାଙ୍କ ଟଙ୍କା ଫେରାଇବା କିମ୍ବା ତ୍ରୁଟି ଥିବା ସାମଗ୍ରୀକୁ ମରାମତି କରି ଗ୍ରାହକଙ୍କୁ ଫେରାଇବା ଲାଗି ଏହା କଂପାନିଗୁଡ଼ିକୁ ନିର୍ଦେଶ ଦେଇପାରିବ। ଗ୍ରାହକମାନେ ଯେକୌଣସି ସ୍ଥାନରେ ରହି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ। ତାଙ୍କୁ ଆଇନଜୀବୀ ମଧ୍ୟ ନିଯୁକ୍ତ କରିବାକୁ ପଡ଼ିବ ନାହିଁ। ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ହୋଇପାରିବ। କୌଣସି ସାମଗ୍ରୀ କିମ୍ବା ସେବା ଦ୍ବାରା ଯଦି ଗ୍ରାହକଙ୍କୁ କୌଣସି ଆଘାତ ପହଞ୍ଚେ କିମ୍ବା ତାଙ୍କର କିଛି କ୍ଷତି ହୁଏ ତେବେ, ତେବେ କଂପାନି ସେହି କ୍ଷତି ଭରଣା କରିବ। ପ୍ରଥମ ଥର ଲାଗି ନୂଆ ଉପଭୋକ୍ତା ସୁରକ୍ଷା ନିୟମରେ ଏଭଳି ବ୍ୟବସ୍ଥା କରାଯାଇଛି। କଂପାନି ବିକ୍ରି କରୁଥିବା ସାମଗ୍ରୀର ମାନ ପାଇଁ ଉତ୍ତରଦାୟୀ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନିୟମ ପରିସରରେ ଇ-କମର୍ସ ସଂସ୍ଥା ଓ ପ୍ରତ୍ୟକ୍ଷ ଭାବେ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଇ-କମର୍ସ ସଂସ୍ଥାଗୁଡ଼ିକ ଗ୍ରାହକଙ୍କୁ ହାଲୁକା ଭାବେ ନେଇପାରିବେ ନାହିଁ। ସେମାନଙ୍କ ଅଭିଯୋଗଗୁଡ଼ିକୁ ଗୁରୁତ୍ବ ଦେବାକୁ ପଡ଼ିବ। ଗ୍ରାହକମାନେ ଯେଉଁ ଅଭିଯୋଗ କରିବେ ତାହାକୁ ୪୮ ଗଣ୍ଟା ଭିତରେ ଗ୍ରହଣ କରି ମାସକ ଭିତରେ ସମାଧାନ କରିବାକୁ ପଡ଼ିବ। ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମାମଲା ରୁଜୁ କରିବା ଲାଗି ଗ୍ରାହକଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଗ୍ରାହକମାନେ ନିଜ ଅଭିଯୋଗ ଦାଖଲ କରିପାରିବେ। ଯେଉଁ ଗ୍ରାହକଙ୍କ ପରିଚୟ ଜଣାପଡ଼ିବ ନାହିଁ ତାଙ୍କୁ ମିଳିବାକୁ ଥିବା ଅର୍ଥରାଶିକୁ ଉପଭୋକ୍ତା କଲ୍ୟାଣ ପାଣ୍ଠି (ସିଡବ୍ଲୁଏଫ୍)ରେ ଜମା କରାଯିବ। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ଦେଶରେ ଉପଭୋକ୍ତା ସୁରକ୍ଷା ପରିଷଦ, ଉପଭୋକ୍ତା ଅଭିଯୋଗ ସମାଧାନ କମିସନ, ମଧ୍ୟସ୍ଥତା ଭଳି ବ୍ୟବସ୍ଥା ରହିବ। ଗ୍ରାହକମାନଙ୍କୁ ବିଭ୍ରାନ୍ତ କରି ସାମଗ୍ରୀ ଉତ୍ପାଦନ କିମ୍ବା ବିକ୍ରି କରୁଥିବା ସଂସ୍ଥାଗୁଡ଼ିକୁ ଦଣ୍ଡିତ କରାଯିବ। ଉପଭୋକ୍ତା କମିସନରେ ଫାଙ୍କା ଥିବା ପଦ, ସମାଧାନ ହୋଇଥିବା ମାମଲା, ପଡ଼ିରହିଥିବା ମାମଲା ଆଦି ସମ୍ପର୍କିତ ସୂଚନାଗୁଡ଼ିକୁ ପ୍ରତି ତିନି ମାସରେ ରାଜ୍ୟ କମିସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାସ୍ୱାନ କହିଛନ୍ତି, ପ୍ରତିଟି ଇ-କମର୍ସ ସଂସ୍ଥାକୁ ସାମଗ୍ରୀ ଫେରସ୍ତ, ଟଙ୍କା ଫେରସ୍ତ, ବିନିମୟ, ୱାରେଣ୍ଟି, ଗ୍ୟାରେଣ୍ଟି, ଡେଲିପରି, ପେମେଣ୍ଟ୍ର ମାଧ୍ୟମ, ଅଭିଯୋଗ ସମାଧାନ ବ୍ୟବସ୍ଥା, ପେମେଣ୍ଟ୍ର ନିରାପତ୍ତା ଏବଂ ବିକ୍ରି କରାଯାଉଥିବା ସାମଗ୍ରୀ ପ୍ରସ୍ତୁତ କରାଯାଇଥିବା ଦେଶର ନାମ ବିଷୟରେ ସୂଚନା ଦେବାକୁ ପଡ଼ିବ।