ଡିଜିଟାଲ ପେମେଣ୍ଟ ଆପ ମାଧ୍ୟମରେ ଠକେଇ ବଢୁଛି, ରିଜର୍ଭ ବ୍ୟାଙ୍କ ଜାରି କଲା ସତର୍କତା

ମୁମ୍ବାଇ: ଆମ ଦେଶରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଅଧିକରୁ ଅଧିକ ଲୋକ ଡିଜିଟାଲ ପେମେଣ୍ଟ କରିବାରେ ଲାଗୁଛନ୍ତି । ଡିଜିଟାଲ ପେମେଣ୍ଟ ପାଇଁ ଅନେକ ପ୍ରକାରର ପେମେଣ୍ଟ ଆପ ବାହାରିଛି । ଏସବୁ ମଧ୍ୟରେ ସୁରକ୍ଷା ଦିଗଟି ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ନିକଟରେ ଡିଜିଟାଲ ପେମେଣ୍ଟରେ ହେଉଥିବା ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ କେତେକ ଗାଇଡଲାଇନ ଜାରି କରିଥିଲା । ଏହା ଅନୁଯାୟୀ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇଏଲ) ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ରିମୋଟ ସ୍କ୍ରିନ ଆସେସ୍ ଆପ୍ ଉପଯୋଗ କରି ଡିଜିଟାଲ କାରବାର କ୍ଷେତ୍ରରେ ଠକେଇ ବୃଦ୍ଧି ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ୧୪ ତାରିଖରେ ଜାରି କରିଥିବା କେତେକ ପରାମର୍ଶ ପରିପ୍ରେକ୍ଷୀରେ ଏନପିସିଆଇଏଲ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

କିପରି ହେଉଛି ଆପ ମାଧ୍ୟମରେ ଠକେଇ ?

– ପ୍ଲେଷ୍ଟୋର ବା ଆପ୍ ଷ୍ଟୋରରୁ ‘ଏନି ଡ଼େକ୍ସ’ନାମକ ଆପ୍ ଡାଉନଲୋଡ଼ କରିବା ପାଇଁ କୁହାଯାଉଛି ।

– ଏହାପରେ ୯ ସଂଖ୍ୟା ବିଶିଷ୍ଟ ଏକ ଆପ୍ କୋଡ଼ ସୃଷ୍ଟି ହେଉଛି ଯାହାକୁ ଜଣାଇବା ପାଇଁ ଠକେଇ ସଂସ୍ଥା କହୁଛନ୍ତି

– ଏହି ୯ ସଂଖ୍ୟାବିଶିଷ୍ଟ ନମ୍ବର ଜଣାଇବା ପରେ ସେମାନେ ଗ୍ରାହକଙ୍କୁ କେତେକ ଅନୁମତି ମାଗୁଛନ୍ତି ଯାହା ଅନ୍ୟ ଆପ୍ସର ବ୍ୟବହାର ପାଇଁ ଉଦ୍ଦିଷ୍ଟ କୋଡ଼ ସହ ସମାନ ।

– ଏହାକୁ ଜଣାଇବା ପରେ ଠକ ସଂସ୍ଥା ବ୍ୟକ୍ତି ଯନ୍ତ୍ର ଉପରେ ନିୟନ୍ତ୍ରଣ ଜାହିର କରିନିଏ ।

– ଏହାପରେ ଠକ ସଂସ୍ଥା ନିଜ ଉଦ୍ଦେଶ୍ୟ ସାଧନ କରିବାରେ ସମର୍ଥ ହୋଇଥାଏ ।

ଠକ ସଂସ୍ଥା ଥରେ ଏହି ତଥ୍ୟ ଗ୍ରାହକଙ୍କ ନିକଟରୁ ପାଇଗଲେ ସେମାନେ ଅର୍ଥ ନେଣଦେଣ କରିବା ସହ ଅନଲାଇନରେ ସାମଗ୍ରୀ କ୍ରୟ ପାଇଁ ମଧ୍ୟ ବରାଦ ଦେବାରେ ସମର୍ଥ ହୋଇପାରିଥାନ୍ତି । ମୋବାଇଲରେ ଥିବା ଏହି ଆପ୍ ବ୍ୟବହାର କରି ସେମାନେ ରେଳ ଓ ବିମାନ ଟିକେଟ ବୁକିଂ କରିବା ସହ ମୋବାଇଲରେ ଥିବା ତଥ୍ୟ ଚୋରି କରିବାରେ ମଧ୍ୟ ସମର୍ଥ ହେଉଛନ୍ତି ।  ଏପ୍ରକାର ୫ଟି ଠକେଇ ନିକଟରେ ଚିହ୍ନଟ ହୋଇଥିବାରୁ ଏଥିପ୍ରତି ଗ୍ରାହକ ସଚେତନ ରହିବା ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର