ମାଗଣା କଲ୍‌, ଡାଟା ଯୁଗ ଶେଷ ହେବ, ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବ ଟ୍ରାଇ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ମୋବାଇଲ୍ ସେବାର ସର୍ବନିମ୍ନ ଦାମ୍ ନିର୍ଧାରଣ କରିବାକୁ ଯୋଜନା ରଖିଛି। କଲ୍‌ ଓ ଡାଟାର ସର୍ବନିମ୍ନ ଦାମ୍ କେତେ ରହିବା ଦରକାର? ‌ଏହି ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଟ୍ରାଇ ପକ୍ଷରୁ ଏକ ଚିଠା ଜାରି କରାଯାଇଛି। କେଉଁ ଆଧାରରେ ସର୍ବନିମ୍ନ ଦାମ୍ ଧାର୍ଯ୍ୟ କରାଯିବ ଏବଂ ସେଥିପାଇଁ କେଉଁ ପଦ୍ଧତି ଗ୍ରହଣ କରାଗଲେ ଭଲ ହେବ ତାହା ଟ୍ରାଇ ଜାଣିବାକୁ ଚାହୁଛି। ଏହା ଉପରେ ଟେଲିକମ୍ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କ ଠାରୁ ମତାମତ ମଗାଯାଇଛି। ଯଦି ମୋବାଇଲ୍‌ ସେବାର ସର୍ବନିମ୍ନ ଦାମ୍ ଧାର୍ଯ୍ୟ କରାଯିବ ତେବେ କୌଣସି କଂପାନି ତା’ଠାରୁ କମ୍ ଦାମ୍‌ରେ ସେବା ପ୍ରଦାନ କରିପାରିବେ। ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। ଯଦି କଲ୍‌ ପାଇଁ ସର୍ବନିମ୍ନ ଦାମ୍ ଧାର୍ଯ୍ୟ କରାଯିବ ତେବେ ଗ୍ରାହକମାନେ ଆଉ ମାଗଣା କଲ୍‌ କରିପାରିବେ ନାହିଁ। ସେହିପରି ସୁଲଭ ମୂଲ୍ୟରେ ମଧ୍ୟ ଡାଟା ମିଳିବା ଯୁଗ ଶେଷ ହୋଇଯିବ।

ଟେଲିକମ୍ କଂପାନିଗୁଡ଼ିକର ଆର୍ଥିକ ସଙ୍କଟ ବିଚାରକୁ ନେଇ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି ଟ୍ରାଇ ପକ୍ଷରୁ ବିଭିନ୍ନ ବିଷୟ ବିଚାରକୁ ନିଆଯାଉଛି। ଯେହେତୁ ଦେଶର ଅର୍ଥନୀତି ଲାଗି ଏକ ସୁସ୍ଥକର ଟେଲିକମ୍ କ୍ଷେତ୍ର ଜରୁରୀ ଏବଂ ସେହି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଯେତେ‌ ଅଧିକ ରହିବ ତାହା ଗ୍ରାହକଙ୍କ ପାଇଁ ସେତେ ଭଲ, ସେହି କଥା ବିଚାରକୁ ନେଇ ଉଭୟ କଂପାନି ଓ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ପ୍ରଦାନ କରିବା ଲାଗି ଟେଲିକମ୍ ସେବାର ସର୍ବନିମ୍ନ ମୂଲ୍ୟ ନିର୍ଧାରଣ କରିବାକୁ ଟ୍ରାଇ ଯୋଜନା ରଖିଛି। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ନିଜ ହିସାବରେ କଲ୍ ଓ ଡାଟା ପ୍ଳାନ୍ ପ୍ରସ୍ତୁତ କରୁଛନ୍ତି। ମାତ୍ର ସରକାର ଯଦି ମୂଲ୍ୟ ନିର୍ଧାରଣ କରିବେ ତେବେ ଏହି କ୍ଷେତ୍ର ସରକାରୀ ନିୟନ୍ତ୍ରଣ ଅଧୀନକୁ ଚାଲିଯିବାର ଆଶଙ୍କା ରହିଛି। ୨୦୧୭ରେ, ଟେଲିକମ୍ କ୍ଷେତ୍ରରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ମୋବାଇଲ୍ କଲ୍ ସମ୍ପୂର୍ଣ୍ଣ ମାଗଣା ହୋଇଯାଇଥିବା ବେଳେ ଡାଟା ଦାମ୍ ମଧ୍ୟ ବହୁତ କମିଯାଇଥିଲା। ଫଳରେ ଘରେ ଘରେ ମୋବାଇଲ୍ ସେବା ଓ ଡାଟା ପହଞ୍ଚିପାରିଥିଲା। ଜିଓ ଆସିବା ପରେ ଗ୍ରାହକଙ୍କୁ ଏହିସବୁ ଲାଭ ମିଳିଥିବା ବେଳେ ଏହାର ଏକ ଖରାପ ଦିଗ ମଧ୍ୟ ସୃଷ୍ଟି ହୋଇଥିଲା। କମ୍ ଦାମ୍‌ରେ କଲ୍ ଓ ଡାଟା ସେବା ଯୋଗାଇ ପାରିନଥିବା ଟେଲିକମ୍ କଂପାନିଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା। ଯେଉଁ କିଛିଟି କଂପାନି ବଞ୍ଚିଗଲେ ସେମାନେ ଏବେ ବ୍ୟବସାୟରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। ଟେଲିକମ୍ କ୍ଷେତ୍ରର ସବୁ କଂପାନି ଲାଗି ପ୍ରତିଦ୍ବନ୍ଦ୍ବିତାର ଏକ ବାତାବରଣ ସୃଷ୍ଟି କରିବା ପାଇଁ ‌ମୋବାଇଲ୍ ସେବାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ଉପରେ ବିଚାର କରାଯାଉଛି।

ସମ୍ବନ୍ଧିତ ଖବର