ଚଳିତ ବର୍ଷ ମାଗଣା ଯୁଗ ଶେଷ, ସଙ୍କଟରେ ଏୟାର ଇଣ୍ଡିଆ, ବିଏସ୍‌ଏନ୍‌ଏଲ୍‌

ଚଳିତ ବର୍ଷ ମାଗଣା ମୋବାଇଲ୍‌ ସେବାର ଯୁଗ ଶେଷ ହୋଇଥିଲା। ବର୍ଷ ଶେଷ ଆଡ଼କୁ ଟେଲିକମ୍ କଂପାନିଗୁଡ଼ିକ ସେମାନଙ୍କ ଟାରିଫ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଥିଲେ। ତିନି ମାସିଆ ପ୍ୟାକ୍‌ଗୁଡ଼ିକର ମୂଲ୍ୟ ୨୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା। ଏହା ବ୍ୟତୀତ ସମ୍ପୂର୍ଣ୍ଣ ମାଗଣାରେ ସବୁ ପ୍ରକାର ନମ୍ବରକୁ ମାଗଣାରେ କଲ୍ କରିବାର ସୁବିଧା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ମଧ୍ୟ ଏହାର ଗ୍ରାହକଙ୍କ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିଲା। ଅନ୍ୟ ନମ୍ବରକୁ କଲ୍‌ କରିବା ଉପରେ ଜିଓ ମିନିଟ୍ ପିଛା ୬ ପଇସାର ଶୁଳ୍କ ଲଗାଇଥିଲା। ଏହା ପରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ନିଜର ଟାରିଫ୍ ଦାମ୍ ବଢ଼ାଇଥିଲେ। ଜିଓ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲା। ଇଣ୍ଟର କନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି)କୁ ୨୦୨୦ ଜାନୁଆରିରେ ଶୂନ କରିଦିଆଯିବ ବୋଲି ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ନେଇଥିବା ନିଷ୍ପତ୍ତିକୁ ବଦଳାଇଥିଲା। ଏ‌ହି ସମୟ ସୀମାକୁ ଟ୍ରାଇ ୨୦୨୧ ଜାନୁଆରି ୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହାର ଅର୍ଥ ହେଉଛି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ମୋବାଇଲ୍‌ ସେବା ଶସ୍ତା ହେବାର ସବୁ ପ୍ରକାର ସମ୍ଭାବନା ମଉଳି ଯାଇଛି।

ଦୁଇ ସରକାରୀ କଂପାନି ଏୟାର ଇଣ୍ଡିଆ ଓ ବିଏସ୍‌ଏନ୍‌ଏଲ୍‌ ଘୋର ସଙ୍କଟ ମଧ୍ୟରେ ଫସିଯାଇଥିଲେ। ଏୟାର ଇଣ୍ଡିଆର କ୍ଷତି ୫୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ଏହାକୁ ବିକ୍ରି କରିବା ଲାଗି ସରକାର ‌େଯତେ ଉଦ୍ୟମ କରୁଛନ୍ତି ତାହା ବିଫଳ ହେଉଛି। ଋଣ ଭାରରେ ବୁଡ଼ି ରହିଥିବା ଏହି କଂପାନିକୁ କିଣିବା ଲାଗି କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେହିପରି ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌କୁ ଘୋର ସଙ୍କଟରୁ ବଞ୍ଚାଇବା ଲାଗି ବର୍ଷ ଶେଷ ଆଡ଼କୁ ସରକାର ପୁନରୁଦ୍ଧାର ପ୍ୟ‌ାକେଜ୍ ଘୋଷଣା କରିଥିଲେ। ଏହାର କର୍ମଚାରୀଙ୍କ ଲାଗି ଭିଆର୍ଏସ୍‌ ପ୍ୟାକେଜ୍ ଘୋଷଣା କରାଯାଇଛି ଯେଉଁଥିପାଇଁ ୭୭ ହଜାରରୁ ଅଧିକ କର୍ମଚାରୀ ଆବେଦନ କରିଛନ୍ତି ତାହା କଂପାନିର ବେତନ ଖର୍ଚ କମାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର