ଭୁବନେଶ୍ବର: ଖାଇବା ତେଲ ବଜାରରେ ପ୍ରବଳ ପ୍ରତିଯୋଗିତା ଚାଲିଥିବା ବେଳେ କିଛି ସଂସ୍ଥା ଏକ ଲିଟରର ପ୍ୟାକେଟ୍‌ରେ ଅପେକ୍ଷାକୃତ କମ୍ ତେଲ ବିକ୍ରି କରୁଛନ୍ତି। ‌ସାଧାରଣତଃ ଗୋଟିଏ ଲିଟର ପ୍ୟାକେଟ୍‌ରେ ୯୧୦ ଗ୍ରାମ ତେଲ ରହିଥାଏ। ପ୍ୟା‌କେଟ୍‌ର ଓଜନକୁ ମିଶାଇବା ପରେ ତାହାର ଓଜନ ୯୧୬-୯୧୮ ଗ୍ରାମ ପାଖାପାଖି ହୋଇଥାଏ। କିନ୍ତୁ କେତେକ ସଂସ୍ଥା ତା’ଠାରୁ ଯଥେଷ୍ଟ କମ୍‌ ପରିମାଣର ତେଲ ପ୍ୟାକେଟ୍‌ରେ ଭର୍ତ୍ତି କରି ବିକୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନେ ଦାମ୍ ବି କମାଉନାହାନ୍ତି। ଯେହେତୁ ସବୁ କମ୍ପାନି ଏକ ଲିଟର ପ୍ୟାକେଟ୍‌ ବ୍ୟବହାର କରୁଛନ୍ତି, ତେଣୁ ତାହା ସମାନ ଦେଖାଯାଉଛି। ତେଣୁ ଖାଇବା ତେଲ କିଣିବା ବେଳେ ଓଜନ ପ୍ରତି ଧ୍ୟା‌ନ ଦେବାକୁ ଫ୍ରିଡମ୍‌ ଅଏଲ୍‌ର ବରିଷ୍ଠ ଉପସଭାପତି (ସେଲ୍‌ସ ଓ ମା‌ର୍କେଟିଂ) ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି। କେବଳ ଗ୍ରାହକ ନୁହେଁ, ଅଧିକାଂଶ ଦୋକାନୀ ଓ ରିଟେଲରମାନେ ମଧ୍ୟ ପ୍ୟାକେଟ୍‌ରେ କମ୍ ତେଲ ରହୁଥିବା ଜାଣିନାହାନ୍ତି ବୋଲି ସେ କହିଛନ୍ତି।

Advertisment

sfhhfshfhfs

ଫ୍ରିଡମ୍‌ ଅଏଲ୍‌ ସମ୍ପର୍କରେ ସେ କହିଥିଲେ ଯେ ସର୍ବଭାରତୀୟ ସ୍ତରରେ କମ୍ପାନିର ବଜାର ଅଂଶ ୨୪ ପ୍ରତିଶତ ରହିଛି। ଓଡ଼ିଶାରେ ତାହା ୭୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଓଡ଼ିଶା ବଜାର‌ରେ ଆମ ପାଖାପାଖି କେହି ନାହାନ୍ତି। ‌ଆମେ ବ୍ୟବସାୟ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ବଜାର ଅଂଶ ସର୍ବାଧିକ ରହିଛି। ଏକ ୪-୫ ଜଣ ସଦସ୍ୟ ବିଶିଷ୍ଟ ପରିବାର ମାସକୁ ୪-୫ ଲିଟର ତେଲ ବ୍ୟବହାର କରିବା ଲାଗି ୧୦୦୦ ଟଙ୍କା ଦରକାର କରିଥାଏ। ସେଭଳି ପରିବାରର ଆବଶ୍ୟକତାକୁ କିଭଳି ସୁଲଭ ମୂଲ୍ୟରେ ପୂରଣ କରିହେବ ତାହା ଉପରେ ଫ୍ରିଡମ୍ ଅଏଲ୍‌ ଧ୍ୟାନ ଦେଉଛି ବୋଲି ସେ କହିଥିଲେ। ରାଜ୍ୟରେ କମ୍ପାନିର ସମ୍ପ୍ରସାରଣ ସମ୍ପର୍କରେ ସେ କହିଛନ୍ତି ଯେ ଅତୀତରେ ଓଡ଼ିଶାରେ ୪୦୦ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରିବା ଲାଗି ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲୁ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ ଦେବା ପରେ ସେହି ଯୋଜନା ଆଗକୁ ବଢ଼ିପାରିନଥିଲା। କଟକର ଜଗତପୁରରେ କମ୍ପାନିର ସୋରିଷ ତେଲ କାରଖାନା ରହିଛି। ସେଥିରେ ଆଉ ୫୦ କୋଟି ଟଙ୍କା ନିବେଶ କରାଯିବ। ଖୁବ୍‌ଶୀଘ୍ର ଇଡ୍‌କୋ ଆବଶ୍ୟକ ସୁବିଧା ପ୍ରଦାନ କରିବ ବୋଲି ସେ କହିଛନ୍ତି।