ଆଇଡିବିଆଇ ବ୍ୟାଙ୍କର ନୂଆ ମାଲିକଙ୍କୁ ମିଳିବ ସ୍ବାଧୀନତା: ସରକାର ହସ୍ତକ୍ଷେପ କରିବେନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବା ଲାଗି ଜୋରସୋର ଉଦ୍ୟମ ଜାରି ରଖିଛନ୍ତି। ଅଧିକ ଗ୍ରାହକ ଆକୃଷ୍ଟ କରିବା ଲାଗି ବିଭିନ୍ନ ସର୍ତ୍ତକୁ କୋହଳ କରାଯାଉଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ହେବା ପରେ ଏହାର ନୂଆ ମାଲିକଙ୍କୁ ବ୍ୟାଙ୍କ ଚଳାଇବାରେ ପୂର୍ଣ୍ଣ ସ୍ବାଧୀନତା ମିଳିବ। ବ୍ୟାଙ୍କର ନିତିଦିନିଆ କାର୍ଯ୍ୟରେ ସରକାର କିମ୍ବା ଏଲ୍‌ଆଇସି ହସ୍ତକ୍ଷେପ କରିବେ ନାହିଁ।
ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ୪୫.୪୮ ପ୍ରତିଶତ ଓ ଏଲ୍‌ଆଇସିର ୪୯ ପ୍ରତିଶତ ଅଂଶଧନ ରହିଛି। ସେଥିରୁ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ଆଗ୍ରହୀ ଗ୍ରାହକଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି। ଷ୍ଟକ ବଜାରରେ ଆଇଡିବିଆଇ ବ୍ୟାଙ୍କର ସେୟାର ମୂଲ୍ୟ ୪୪.୩୦ ଟଙ୍କା ରହିଛି। ସେହି ଅନୁସାରେ ବ୍ୟାଙ୍କର ମୂଲ୍ୟ ୪୭,୬୩୩ କୋଟି ଟଙ୍କା ଆକଳନ କରାଯାଇଛି।

ସେହି ମୂଲ୍ୟ ଆଧାରରେ ବ୍ୟାଙ୍କର ୬୦% ଅଂଶଧନ ବିକ୍ରି ହେଲେ ସରକାରଙ୍କୁ ୨୯ ହଜାର କୋଟି ଟଙ୍କା ମିଳିବ। ଘରୋଇକରଣ ପରେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କରୁ ସମ୍ପୂର୍ଣ୍ଣ ଓହରିଯିବେ ଏବଂ ଏଲ୍‌ଆଇସିର ଅଂଶଧନ ୩୪ ପ୍ରତିଶତକୁ ହ୍ରାସ ପାଇବ। ନୂଆ ଗ୍ରାହକଙ୍କ କାମରେ ଏଲ୍‌ଆଇସି ହସ୍ତକ୍ଷେପ କରିବ ନାହିଁ ବୋଲି କୁହାଯାଉଛି। ଯେହେତୁ ସରକାର ଆଇଡିବିଆଇ ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି ତେଣୁ ଏହା ଏକ ପ୍ରକାର ସ୍ପଷ୍ଟ ଯେ ସେହି ସଂସ୍ଥାର କାର୍ଯ୍ୟରେ ସରକାର କୌଣସି ହସ୍ତକ୍ଷେପ କରିବାର ଅଭିପ୍ରାୟ ରଖିନାହାନ୍ତି। ସେଭଳି ଭାବନା ଥିଲେ ସରକାର କମ୍ ଅଂଶଧନ ବିକ୍ରି କରିଥାନ୍ତେ। ତେଣୁ ପରିଚାଳନା ନିୟନ୍ତ୍ରଣ ଏବଂ କାର୍ଯ୍ୟରେ ସ୍ବାଧୀନତାକୁ ନେଇ କୌଣସି ଗ୍ରାହକଙ୍କ ମନରେ ସନ୍ଦେହ ରହିବା ଅନୁଚିତ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର