ବଡ଼ ବନ୍ଦରରେ ମାଲ ପରିବହନ କମିଲା, ପାରାଦୀପର ବଢ଼ିଲା

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ଗତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୨ଟି ବନ୍ଦରରେ ମାଲ ପରିବହନ ହ୍ରାସ ପାଇଛି। ୧୨ଟି ଯାକ ୧୨ଟି ବନ୍ଦର ମିଶି ମୋଟ ୬୭୨.୬୦ ନିୟୁତ ଟନ୍ ମାଲ୍‌ ପରିବହନ କରିଛନ୍ତି, ଯାହାକି ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୪.୫୯ ପ୍ରତିଶତ ‌କମ୍ ବୋଲି ଇଣ୍ଡିଆନ୍ ପୋର୍ଟସ ଆସୋସିଏସନ (ଆଇପିଏ) ପକ୍ଷରୁ କୁହାଯାଇଛି।

୨୦୧୯-୨୦ରେ ଏହି ବନ୍ଦର ଗୁଡ଼ିକ ମୋଟ ୭୦୫ ନିୟୁତ ଟନ, ୨୦୧୮-୧୯ରେ ୬୯୯ ନିୟୁତ ଟନ୍ ଏବଂ ୨୦୧୭-୧୮ରେ ୬୭୯ ନିୟୁତ ଟନ୍ ମାଲ ପରିବହନ କରିଥିଲେ। କରୋନା କଟକଣା ଯୋଗୁ ଗତବର୍ଷ ମାଲ ପରିବହନ ପ୍ରଭାବିତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ କୋଇଲା, ପେଟ୍ରୋଲିୟମ ଏବଂ କଣ୍ଟେନରରେ ପ୍ରେରଣ ହେଉଥିବା ମାଲ୍‌ ପରିବହନ ବାଧାପ୍ରାପ୍ତ ହୋଇଛି ବୋଲି ଆଇପିଏ ରିପୋର୍ଟରେ କୁହାଯାଇଛି। ତେବେ ପାରାଦୀପ ଏବଂ ମାର୍‌ମାଗାଓ ବନ୍ଦରରେ ମାଲ ପରବହନ ବୃଦ୍ଧି ପାଇଛି। ପାରାଦୀପ ବନ୍ଦରର ମାଲ ପରିବହନରେ ୧.୬୫ ପ୍ରତିଶତ ବୃଦ୍ଧି ଘଟି ୧୧୪.୫୪ ନିୟୁତ ଟନ୍ ରହିଥିବାବେଳେ ମାର୍‌ମାଗାଓ ବନ୍ଦରର ମାଲ ପରିବହନ ୩୭.୬୦ ପ୍ରତିଶତ ବୃଦ୍ଧି ଘଟି ୨୧.୯୫ ନିୟୁତ ଟନରେ ପହଞ୍ଚିଛି। କୋଚିନ, ନ୍ୟୁ ମାଙ୍ଗାଲୋର ଏବଂ ଚେନ୍ନାଇ ବନ୍ଦରରେ ମାଲ ପରିବହନରେ ପାଖାପାଖି ୭ ପ୍ରତିଶତ ହ୍ରାସ ଘଟିଛି। ଜବାହରଲାଲ ନେହରୁ ବନ୍ଦରର ମାଲ ପରିବହନ ୫.୩୨ ପ୍ରତିଶତ, ଦୀନଦୟାଲ ଏବଂ କୋଲକାତା ବନ୍ଦରର ମାଲ ପରିବହନ ୪ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ବିଶାଖାପାଟଣା ବନ୍ଦରର ମାଲ ପରିବହନ ୩.୯୬ ପ୍ରତିଶତ କମିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ୧୨ଟି ପ୍ରମୁଖ ବନ୍ଦର ପରିଚାଳିତ ହେଉଛି। ସେଗୁଡ଼ିକ ହେଲା ଦୀନଦୟାଲ ବନ୍ଦର (ପୂର୍ବର କାଣ୍ଡଲା) , ମୁମ୍ବାଇ, ଜେଏନ୍‌ପିଟି, ମାର୍‌ମାଗାଓ, ନ୍ୟୁ ମାଙ୍ଗାଲୋର, କୋଚିନ, ଚେନ୍ନାଇ, କାମରାଜର (ପୂର୍ବର ଏନ୍ନୋର) ଚିଦମ୍ବରନାର, ବିଶାଖାପାଟଣା, ପାରାଦୀପ ଏବଂ କୋଲକାତା। ‌ଦେଶର ମୋଟ ମାଲ ପରିବହନର ୬୧ ପ୍ରତିଶତ ଏହି ୧୨ଟି ବନ୍ଦର ମାଧ୍ୟମରେ ହୋଇଥାଏ।

ସମ୍ବନ୍ଧିତ ଖବର