ଏପ୍ରିଲରୁ ନୂଆ ପ୍ୟାକେଜିଂ ନିୟମ ପ୍ୟାକେଟ ଉପରେ ଲେଖାଯିବ ୟୁନିଟ୍ ପିଛା ମୂଲ୍ୟ

ନୂଆଦିଲ୍ଲୀ: ପ୍ୟାକେଟରେ ବିକ୍ରି ହେଉଥିବା ପଦାର୍ଥ କ୍ରୟ ବେଳେ ଗ୍ରାହକଙ୍କୁ ଠିକ୍ ନିଷ୍ପତ୍ତି ନେବା କ୍ଷେତ୍ରରେ ଆହୁରି ସଶକ୍ତ ହେବେ। ଏଥିପାଇଁ କେନ୍ଦ୍ର ସରକାର ପ୍ୟାକେଟ୍‌ରେ ରହିଥିବା ସାମଗ୍ରୀ ଉପରେ ମୂଲ୍ୟ ଲେଖାଯିବା ନିୟମକୁ ବଦଳାଇଲେ। ସର୍ବାଧିକ ଖୁଚୁରା ମୂଲ୍ୟ ସହିତ କମ୍ପାନି ଗୁଡ଼ିକ ପ୍ୟାକେଟ୍ ଉପରେ ୟୁନିଟ୍ ପିଛା ମୂଲ୍ୟ ଲେଖିବେ। ଆସନ୍ତାବର୍ଷ ଏପ୍ରିଲରୁ ଏହି ନୂଆ ପ୍ୟାକେଜିଂ ନିୟମ କାର୍ଯ୍ୟକାରୀ ହେବ।

ପ୍ୟାକେଟରେ ରହିଥିବା ସାମଗ୍ରୀର ପରିମାଣ ଯଦି ୧ କିଲୋ କିମ୍ବା ୧ ଲିଟରରୁ ଅଧିକ ହୋଇଥିବ ତାହେଲେ ସେହି ପ୍ୟାକେଟ୍ ଉପରେ କିଲୋ ପିଛା ବା ଲିଟର ପିଛା ଦାମ୍ ଲେଖାଯିବ। ସେହିଭଳି ଯଦି ପ୍ୟାକେଟରେ ଥିବା ସାମଗ୍ରୀର ଓଜନ ୧ କିଲୋ ବା ଲିଟରରୁ କମ୍ ହୋଇଥିବା ତାହେଲେ ସେହି ପ୍ୟାକେଟ ଉପରେ କମ୍ପାନି ୧ ଗ୍ରାମ କିମ୍ବା ୧ ମିଲିଲିଟରର ମୂଲ୍ୟ ଲେଖିବେ। ମିଟର ଏବଂ ସେଣ୍ଟିମିଟରରେ ମପାଯାଉଥିବା ସାମଗ୍ରୀ କ୍ଷେତ୍ରରେ ମଧ୍ୟ ଏଭଳି ସମାନ ନିୟମ ଲାଗୁ ହେବ।

ଏଥିସହିତ ସଂଶୋଧିତ ବୈଧ ମାପ ନିୟମ (ପ୍ୟାକେଟ ସାମଗ୍ରୀ) ଅନୁଯାୟୀ ୧୯ ପ୍ରକାର ସାମଗ୍ରୀର ପ୍ୟାକେଟ ଉପରେ ନିର୍ଦ୍ଦି‌ଷ୍ଟ ପରିମାଣ ଲେଖିବାର ନିୟମକୁ କୋହଳ କରାଯାଇଛି। ସେଗୁଡ଼ିକ ମଧ୍ୟରେ କ୍ଷୀର, ଚା’, ବିସ୍କୁଟ, ଖାଇବା ତେଲ, ଅଟା, ମୃଦୁପାନୀୟ, ପାନୀୟ ଜଳ, ଶିଶୁ ଖାଦ୍ୟ, ସିମେଣ୍ଟ ବ୍ୟାଗ, ପାଉଁରୁଟି, ଡିଟରଜେଣ୍ଟ ଆଦି ରହିଛି। ସରକାରଙ୍କ ପକ୍ଷରୁ ପରିମାଣ ନେଇ କୌଣସି ନିର୍ଦ୍ଦି‌ଷ୍ଟ ନିର୍ଦ୍ଦେଶ ରହିବ ନାହିଁ। ଫଳରେ କମ୍ପାନିଗୁଡ଼ିକ ବଜାରରେ ସେମାନେ ପ୍ୟାକେଟରେ କେତେ ପରିମାଣର ସାମଗ୍ରୀ ବିକ୍ରି କରିବ‌େ ତାହାର ସ୍ବାଧୀତନା ସଂପୂର୍ଣ୍ଣ ଭାବେ ପାଇବେ। ଏଥିସହିତ ନିୟମରେ ହୋଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନଟି ହେଉଛି ଆମଦାନି ହୋଇଥିବା ସାମଗ୍ରୀର ପ୍ୟାକେଟ ଉପରେ ଉଭୟ ଉତ୍ପାଦନର ମାସ ଏବଂ ବର୍ଷ ‌ଲେଖାଯିବ। ବର୍ତ୍ତମାନ ଆମଦାନିକାରୀ ବା ବିକ୍ରେତାଙ୍କ ପାଇଁ ମାସ ଏବଂ ଆମଦାନି କିମ୍ବା ପ୍ରି-ପ୍ୟାକେଜିଂ ତାରିଖ ଲେଖିବାର ବିକଳ୍ପ ରହିଛି। ଯେକୌଣସି ଉତ୍ପାଦର ମାନ ସଂପୃକ୍ତ ସାମଗ୍ରୀର ଉତ୍ପାଦନ ତାରିଖ ସହ ଜଡ଼ିତ ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର