-ନବନୀତ ସେହଗଲ, ପ୍ରସାର ଭାରତୀ ଅଧ୍ୟକ୍ଷ

ମୋଦୀ ସରକାରଙ୍କର ବ୍ୟାପକ ପରୋକ୍ଷ ଟିକସ ପରିବର୍ତ୍ତନ ନାଗରିକଙ୍କ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମାବେଶୀ ବିକାଶ ପାଇଁ ପ୍ରତିବଦ୍ଧତାର ପ୍ରମାଣ ଦେଉଛି।

Advertisment

ଟିକସ ସଂସ୍କାର କ୍ଷେତ୍ରରେ ଏକ ସାହସୀ ପଦକ୍ଷେପ
ଆୟକରରେ ଗୁରୁତ୍ୱପୂର୍ଣ୍ଣ ରିହାତି ପ୍ରଦାନ କରିବା ପରେ ମୋଦୀ ସରକାର ଜିଏସ୍‌ଟି ୨.୦ ଆଣି ଆଉ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଏହି ସରକାର ଗଠନ ପରଠାରୁ ଏହା ପରୋକ୍ଷ ଟିକସ ବ୍ୟବସ୍ଥାରେ ସବୁଠାରୁ ବ୍ୟାପକ ସଂସ୍କାର। ଯେକୌଣସି ଗଣତାନ୍ତ୍ରିକ ସରକାରଙ୍କ ପାଇଁ, ଟିକସ ହ୍ରାସ ଏକ ରାଜନୈତିକ ଏବଂ ଆର୍ଥିକ ଭାବରେ ବିପଦପୂର୍ଣ୍ଣ ପଦକ୍ଷେପ, କାରଣ ଏହା ସିଧାସଳଖ ରାଜସ୍ୱ ସଂଗ୍ରହକୁ ପ୍ରଭାବିତ କରିଥାଏ। ତଥାପି, କ୍ରମାଗତ ଭାବେ ପ୍ରଥମେ ପ୍ରତ୍ୟକ୍ଷ ଟିକସରେ ଏବଂ ବର୍ତ୍ତମାନ ପରୋକ୍ଷ ଟିକସରେ ଦୁଇଟି ପ୍ରମୁଖ ଟିକସ ସଂସ୍କାର କାର୍ଯ୍ୟକାରୀ କରି ସରକାର ଲୋକଙ୍କ ସ୍ୱାର୍ଥକୁ ନିଜ ଶାସନ ମଡେଲ୍‌ର କେନ୍ଦ୍ରରେ ରଖିଥିବା ପ୍ରଦର୍ଶିତ କରିଛନ୍ତି।

ବିରୋଧୀଙ୍କ ଦାବି ବନାମ ବାସ୍ତବତା
ବିରୋଧୀ ନେତାମାନେ ଏହି ସଂସ୍କାରକୁ ଗୌଣ କରି ଆକଳନ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହାର କୌଣସି ପ୍ରକୃତ ପ୍ରଭାବ ନାହିଁ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ତଥାପି, ବଜାର ଧାରା ଏକ ଭିନ୍ନ କାହାଣୀ କହୁଛି। ଔଷଧ କମ୍ପାନିଗୁଡ଼ିକ ମୂଲ୍ୟ ହ୍ରାସ ଘୋଷଣା କରିସାରିଲେଣି। ବୀମା କମ୍ପାନିମାନେ ପ୍ରିମିୟମ୍ କମ୍‌ କରି ପଲିସି ସୁବିଧା ପ୍ରଦାନ କରୁଛନ୍ତି । ଦ୍ରୁତ ଗତିଶୀଳ ଉପଭୋକ୍ତା ସାମଗ୍ରୀ ବା ଏଫ୍‌ଏମ୍‌ସିଜି ବ୍ରାଣ୍ଡଗୁଡ଼ିକ ସର୍ବନିମ୍ନ ଖୁଚୁରା ମୂଲ୍ୟ ବା ଏମ୍‌ଆରପି ହ୍ରାସ କରିବା ଆରମ୍ଭ କରିଛନ୍ତି। ବିରୋଧୀଙ୍କ ଦାବିର ବିପରୀତ ଏହି ସଂସ୍କାର ଦୈନନ୍ଦିନ ଜୀବନକୁ ସହଜ କରିବା ପାଇଁ ପ୍ରସ୍ତୁତ କରାଯାଇଥିବାର ପ୍ରମାଣ ଦେଉଛି। 

ଘରୋଇ ଓ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ
ପୂର୍ବରୁ ୧୨ରୁ ୧୮ ପ୍ରତିଶତ ଟିକସ ଲାଗୁ ହେଉଥିବା ସାମଗ୍ରୀଗୁଡ଼ିକୁ ଏବେ ୫% କିମ୍ବା ଶୂନ ଟିକସ ବର୍ଗରେ ରଖାଯାଇଛି। ରୋଷେଇ ଘରଠାରୁ ଆରମ୍ଭ କରି ଔଷଧ ଦୋକାନ ପର୍ଯ୍ୟନ୍ତ ଏହି ରିହାତି ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି। କର୍କଟ ଏବଂ ହୃଦରୋଗର ଔଷଧ ସମେତ ଜୀବନ ରକ୍ଷାକାରୀ ଔଷଧକୁ ସମ୍ପୂର୍ଣ୍ଣ ଟିକସ ଛାଡ଼ କରାଯାଇଛି। ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଆଉ ଟିକସ ଯୋଗ୍ୟ ନୁହେଁ। ଟିଭି ଏବଂ ଏୟାର କଣ୍ଡିସନର୍‌ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟିକୁ ୨୮%ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। 

ବ୍ୟବହାର ଓ ଚାହିଦା ବୃଦ୍ଧି
ଏହି ସଂସ୍କାର ପରେ ଜିନିଷ ବ୍ୟବହାର ଓ ଚାହିଦାରେ ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋ‌ଇଛି। ବ୍ୟବସାୟୀ ଓ ନିର୍ମାତାମାନେ ସେମାନଙ୍କ କାରବାରରେ ବୃଦ୍ଧି ସମ୍ପର୍କରେ ସୂଚନା ଦେଉଛନ୍ତି । ପାର୍ବଣ ଋତୁ ପୂର୍ବରୁ, ଗ୍ରାହକଙ୍କ ମଧ୍ୟରେ ନୂତନ ବିଶ୍ୱାସ ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ସଙ୍କେତରୁ ଦୃଶ୍ୟମାନ ହେଉଛି। ଜିଏସ୍‌ଟି ୨.୦ ପ୍ରଥମରୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ହାସଲ କରିବା ଆରମ୍ଭ କରିଥିବା ଏଥିରୁ ସଙ୍କେତ ମିଳୁଛି।

ଭାରତର ଯୁବପିଢ଼ିଙ୍କ ସଶକ୍ତୀକରଣ
ଏହା ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିଥାଏ। ସରଳୀକୃତ ଅନୁପାଳନ, ବୀମା ଉପରେ ଟିକସ ଛାଡ଼ ଏବଂ ଶିକ୍ଷାଗତ ସାମଗ୍ରୀ ଉପରେ ଶୂନ ଟିକସ କ୍ରୟ ଶକ୍ତି ବୃଦ୍ଧି କରିବ। ଏହା ଯୁବ ବିଦ୍ୟାର୍ଥୀ ଏବଂ ପେସାଦାରଙ୍କ ପାଇଁ ପ୍ରତିବନ୍ଧକ ହ୍ରାସ କରିବ। ଡିଜିଟାଲ୍‌ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତକୁ ଆଗକୁ ବଢ଼ାଉଥିବା ଏକ ପିଢ଼ି ପାଇଁ ଏହି ସଂସ୍କାର ଆର୍ଥିକ ଆଶ୍ୱସ୍ତି ଏବଂ ସୁଯୋଗ ଉଭୟ ପ୍ରଦାନ କରିଛି।

ଷ୍ଟାର୍ଟଅପ୍ ଓ କ୍ଷୁଦ୍ର ବ୍ୟବସାୟ ପାଇଁ ପ୍ରୋତ୍ସାହନ
ଏହି ସଂସ୍କାର ଷ୍ଟାର୍ଟଅପ୍‌ ଓ କ୍ଷୁଦ୍ର ବ୍ୟବସାୟ ପାଇଁ ପ୍ରୋତ୍ସାହନ ଭଳି। ହ୍ରାସ ପାଇଥିବା ଟିକସ ବୋଝ, ସୁଗମ ନିୟମ ଏବଂ ସହଜ ଋଣ ପ୍ରବାହ ସହିତ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଅନୁପାଳନ ଅପେକ୍ଷା ନବସୃଜନ ଉପରେ ଧ୍ୟାନ ଦେଇପାରିବେ। ଏହି ସଂସ୍କାର ଉଦ୍ୟୋଗ ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏହା ମଧ୍ୟ ଯୁବ ଉଦ୍ଭାବକମାନଙ୍କୁ ଅଧିକ ଆର୍ଥିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପଭୋଗ କରିବା ସହିତ ନିଜର ଉପାୟକୁ ଉଦ୍ୟୋଗରେ ପରିଣତ କରିବାକୁ ଉତ୍ସାହିତ କରିବ।

ମୁଦ୍ରାସ୍ଫୀତି ମୁକାବିଲା  
ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ହ୍ରାସ କରି ଏହି ସଂସ୍କାର ସିଧାସଳଖ ପରିବାରଗୁଡ଼ିକ ଉପରେ ଚାପ କମ୍‌ କରିବ ଏବଂ ପରୋକ୍ଷ ଭାବରେ ମୁଦ୍ରାସ୍ଫୀତି ହାରକୁ ହ୍ରାସ କରିବ। ଏହି ସଂସ୍କାର ୦.୫ ରୁ ୧ ପ୍ରତିଶତ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହ୍ରାସ କରି ନିରନ୍ତର ଅଭିବୃଦ୍ଧିର ମୂଳଦୁଆକୁ ମଜବୁତ କରିପାରିବ।

ଜିଡିପି ଓ ବଜାର ଉପରେ ସକାରାତ୍ମକ ପ୍ରଭାବ
ଜିଏସ୍‌ଟି ୨.୦ ଆଗାମୀ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧିରେ ୦.୫ ରୁ ୧.୨ ପ୍ରତିଶତ ଯୋଗଦାନ ଦେବ। ଅଟୋମୋବାଇଲ୍, ଏଫ୍‌ଏମ୍‌ସିଜି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଲାଭ ଦେବ। ଜିଏସ୍‌ଟି ୨.୦ ଘୋଷଣା ପରେ ସେନସେକ୍ସ ୩୦୦ ପଏଣ୍ଟ ଏବଂ ନିଫ୍ଟି ୦.୫ ପ୍ରତିଶତ ବଢ଼ିଛି। ଅଟୋ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନିଗୁଡ଼ିକର ସେୟାର ୪ ରୁ ୬% ମଧ୍ୟରେ ବୃଦ୍ଧି ପାଇଛି।

ଅଭିବୃଦ୍ଧି ସହିତ ଆର୍ଥିକ ପ୍ରଭାବର ସନ୍ତୁଳନ
ଟିକସ ହ୍ରାସ ଯୋଗୁଁ ରାଜକୋଷକୁ ଅସ୍ଥାୟୀ ଭାବରେ ପ୍ରାୟ ୪୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ସ୍ୱୀକାର କରିଛନ୍ତି । ତଥାପି, ଏହି ଅଭାବକୁ ବର୍ଦ୍ଧିତ ବ୍ୟବହାର ଏବଂ ଆର୍ଥିକ କାର୍ଯ୍ୟକଳାପ ମାଧ୍ୟମରେ ଦୁଇ ବର୍ଷ ମଧ୍ୟରେ ସନ୍ତୁଳିତ କରାଯିବା ନେଇ ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞ ଉଭୟ ବିଶ୍ୱାସ କରୁଛନ୍ତି। 

ଆତ୍ମନିର୍ଭରଶୀଳ ଭାରତ ପାଇଁ ନିର୍ଣ୍ଣାୟକ ସଂସ୍କାର
ଜିଏସ୍‌ଟି ୨.୦ ଚାରୋଟି ଟିକସ ସ୍ଲାବ୍‌କୁ ୫ ପ୍ରତିଶତ ଓ ୧୮ ପ୍ରତିଶତ ଭଳି ଦୁଇଟି ମୁଖ୍ୟ ସ୍ଲାବ୍‌ରେ ପରିଣତ କରିଥିବା ବେଳେ ବିଳାସପୂର୍ଣ୍ଣ ଓ ହାନିକାରକ ସାମଗ୍ରୀ ଉପରେ ୪୦ ପ୍ରତିଶତର ‘ଡିମେରିଟ୍ ସ୍ଲାବ୍‌’ ଲାଗୁ କରାଯାଇଛି। ୫ ପ୍ରତିଶତରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ରଖାଯାଇଛି। ଏହି ଢାଞ୍ଚାଗତ ସ୍ପଷ୍ଟତା ପାରଦର୍ଶିତାକୁ ସୁଦୃଢ଼ କରିବା ସହିତ ଅନୁପାଳନକୁ ସରଳ କରିବ। ଏହା ଆତ୍ମନିର୍ଭର ଭାରତ ସଂକଳ୍ପ ଅନୁରୂପ ହେବ।

ଜନକୈନ୍ଦ୍ରିକ ସରକାର
ଜିଏସ୍‌ଟି ୨.୦ ଏ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ବାର୍ତ୍ତା ହେଉଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ଟିକସ ବୃଦ୍ଧି କରୁଥିବା ବେଳେ ଭାରତ ଏହାକୁ ହ୍ରାସ କରୁଛି।

ଦେଶର ଆର୍ଥିକ ଯାତ୍ରାରେ ଏକ ଐତିହାସିକ ଅଧ୍ୟାୟ
ଏହି ସଂସ୍କାର ଭାରତର ଆର୍ଥିକ କାହାଣୀର ଏକ ଐତିହାସିକ ଅଧ୍ୟାୟ। ପରିବାର ପାଇଁ ଖର୍ଚ୍ଚ ହ୍ରାସ କରି, ବ୍ୟବସାୟିକ କାରବାରକୁ ସରଳ କରି ଏବଂ ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି, ଏହା ଦୀର୍ଘକାଳୀନ ଓ ସମାବେଶୀ ଅଭିବୃଦ୍ଧି ପାଇଁ ମୂଳଦୁଆ ସ୍ଥାପନ କରେ। ଏହି ଟିକସ ନୀତି ସାମାଜିକ ପ୍ରଗତି ପାଇଁ ଏକ ଉପକରଣ ହୋଇପାରିବ। ଜିଏସ୍‌ଟି ୨.୦କୁ କେବଳ ଏକ ଆର୍ଥିକ ସଂସ୍କାର ଭାବରେ ନୁହେଁ ବରଂ ନାଗରିକମାନଙ୍କ ପ୍ରତି ଉତ୍ତରଦାୟିତ୍ୱର ପ୍ରତୀକ ଏବଂ ଏକ ଶକ୍ତିଶାଳୀ, ଅଧିକ ସମାବେଶୀ ଭାରତ ଗଠନ ପାଇଁ ପ୍ରତିବଦ୍ଧତା ଭାବରେ ମନେ ରଖାଯିବ।