ଆସନ୍ତା ବର୍ଷରୁ ବୀମା ପ୍ରିମିୟମ୍ ୪୦% ବଢ଼ିବ

ମୁମ୍ବାଇ: ଆସନ୍ତା ବର୍ଷ ଠାରୁ ବୀମା‌ ପ୍ରିମିୟମ୍‌ରେ ୨୦-୪୦% ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି। ଦାବି ସଂଖ୍ୟା ବଢ଼ିଥିବାରୁ କଂପାନିଗୁଡ଼ିକ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ବୀମା ରାଶି ଗଣୁଛନ୍ତି। ତେଣୁ ନିଜର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ଲାଗି କଂପାନିଗୁଡ଼ିକ ପ୍ରିମିୟମ୍‌ ଆୟ ବଢ଼ାଇବାକୁ ଚାହୁଛନ୍ତି। ସେଥିପାଇଁ ସେମାନେ ପ୍ରିମିୟମ୍‌ରେ ବୃଦ୍ଧି କରିବା ବିଷୟରେ ବିଚାର କରୁଛନ୍ତି। ଏଥିପାଇଁ କିଛି ବୀମା କଂପାନି ଏହି କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ନିକଟରେ ଆବେଦନ ମଧ୍ୟ କରିଛନ୍ତି।

ବୀମା ପ୍ରିମିୟମ୍‌ରେ ହେବାକୁ ଥିବା ବୃଦ୍ଧି ପଛର ଅନ୍ୟ ଏକ କାରଣ ହେଉଛି ବିଶ୍ବସ୍ତରୀୟ ରିଇନସ୍ୟୁରାନ୍ସ କଂପାନିଗୁଡ଼ିକ ଭାରତୀୟ ବୀମା କଂପାନିଠାରୁ ସଂଗ୍ରହ କରୁଥିବା ଫି’ରେ ବୃଦ୍ଧି। ଏହି ଫି’ ବୃଦ୍ଧି ହେଲେ ପ୍ରିମିୟମ୍ ବଢ଼ାଇବା ବ୍ୟତୀତ କଂପାନିଗୁଡ଼ିକ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଯଦି ପ୍ରିମିୟମ୍ ବଢ଼ିବ ତେବେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ପଲିସି କିଣୁଥିବା ଗ୍ରାହକମାନେ ପ୍ରଭାବିତ ହେବେ। ପ୍ରିମିୟମ୍ ବଢ଼ାଇବା ଲାଗି ଗତ ଛଅ ମାସ ହେଲାଣି ବୀମା କଂପାନିଗୁଡ଼ିକ ବିଚାର କରୁଛନ୍ତି। ଏବେ କିନ୍ତୁ ତାହା ଅପରିହାର୍ଯ୍ୟ ହୋଇପଡ଼ିଲାଣି। କୋଭିଡ୍ ମହାମାରୀ ବ୍ୟାପିବା ପରେ ଅଧିକ ଦାବି ସମାଧାନ ହେଉଥିବାରୁ କଂପାନିଙ୍କୁ ଅଧିକ ବୀମା ରାଶି ଗଣିବାକୁ ପଡ଼ୁଛି।

ଫି’କୁ ନେଇ ବିଶ୍ବସ୍ତରୀୟ ରିଇନ୍‌ସ୍ୟୁରାନ୍ସ କଂପାନିଗୁଡ଼ିକ ସହିତ ମୁଲଚାଲ କରିବା ପାଇଁ ଛୋଟ ବୀମା କଂପାନିଗୁଡ଼ିକ ପାଖରେ ବିଶେଷ ସୁଯୋଗ ନାହିଁ। କିନ୍ତୁ ବଡ଼ ସଂସ୍ଥା ଏବେବି ମୁଲଚାଲ ଜାରି ରଖିଛନ୍ତି। ଦେଶର ସର୍ବବୃହତ ବୀମା କଂପାନି ଏଲ୍‌ଆଇସିର ମୁଖ୍ୟ ଏମ୍‌ ଆର୍‌ କୁମାର ଗତ ସପ୍ତାହରେ କହିଥିଲେ ଯେ ରିଇନ୍‌ସ୍ୟୁରାନ୍ସ ସଂସ୍ଥା ସହିତ ଆମେ ମୁଲଚାଲ ଜାରି ରଖିଛୁ। ଅଧିକ ଦାବି ସମାଧାନ କରିବା ସତ୍ତ୍ବେ କଂପାନି ଲାଭରେ ରହିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ଯଦି ପ୍ରିମିୟମ୍ ବଢ଼ିବ ତେବେ କେବଳ ବ୍ୟକ୍ତିଗତ ବୀମା ନୁହେଁ କର୍ପୋରେଟ୍ ସଂସ୍ଥାଗୁଡ଼ିକ କିଣୁଥିବା ଗ୍ରୁପ୍ ଇନ୍‌ସ୍ୟୁରାନ୍ସ ମଧ୍ୟ ପ୍ରଭାବିତ ହେ‌ବ। କୋଭିଡ୍ ମହାମାରୀ ପ୍ରଭାବରେ ଗ୍ରୁପ୍ କର୍ପୋରେଟ୍ ପଲିସିଗୁଡ଼ିକରେ ବୀମା ଦାବିରେ ୩୦୦ରୁ ୧୦୦୦% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହାର ପ୍ରଭାବରେ କର୍ପୋରେଟ୍ ବୀମା ପଲିସି ପ୍ରିମିୟମ୍‌ରେ ୫୦-୧୦୦% ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର