ଚା’ କପ୍‌ରୁ ବସ୍ ପର୍ଯ୍ୟନ୍ତ ସବୁଆଡ଼େ ଭାରତ

ଡାଭୋସ୍‌, ସ୍ବିଜରଲ୍ୟାଣ୍ଡ୍‌ରେ ପାଞ୍ଚଦିନିଆ ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌) ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହି ସୁନ୍ଦର ସହରର ଯେଉଁ ଆଡ଼େ ଦେଖିଲେ ଭାରତର ଛାପ ଦେଖିବାକୁ ମିଳୁଛି। ଚା’ କପ୍‌ଠାରୁ ଆରମ୍ଭ କରି ବସ୍‌ ହେଉ କିମ୍ବା ବଡ଼ ବଡ଼ କୋଠାରେ ଲାଗିଥିବା ବିଲ୍‌ବୋର୍ଡ, ସବୁଥିରେ ଭାରତର ଛାପ ଦେଖିବାକୁ ମିଳୁଛି। ଟାଟା ଟି’ ପକ୍ଷରୁ ସମସ୍ତଙ୍କୁ ମାଗଣାରେ ଚା’ ବଣ୍ଟନ କରାଯାଉଛି। ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସରକାର ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସହରରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ଭାରତ ଏବଂ ଭାରତୀୟ କଂପାନିଗୁଡ଼ିକର ପ୍ରଚାର କରାଯାଉଛି। ବଡ଼ ବଡ଼ କୋଠା ଉପରେ ଲାଗିଥିବା ବିଲ୍‌ବୋର୍ଡଗୁଡ଼ିକରେ ମଧ୍ୟ ଭାରତର ପ୍ରଚାର ହେଉଛି। ଭାରତୀୟ କଂପାନିଗୁଡ଼ିକ ଦ୍ବାରା ସ୍ଥାପନ କରାଯାଇଥିବା ଷ୍ଟଲ୍‌ରେ ମିଳୁଥିବା ସୁସ୍ବାଦୁ ଖାଦ୍ୟକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

ଡାଭୋସ୍‌ରେ ପତ୍ନୀ, ପ୍ରେମିକାଙ୍କ ଭିଡ଼

ସ୍ବିଜରଲ୍ୟାଣ୍ଡ୍‌ର ଏକ ଛୋଟ ସହର ହେଉଛି ଡାଭୋସ୍‌ ଯାହା ମେଡିକାଲ୍ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ବିଶ୍ବ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ୍‌) ସମ୍ମିଳନୀ ଯୋଗୁ ଏହି ସହରରେ ଏବେ ସାରା ବିଶ୍ବର ଉଦ୍ୟୋଗୀ, ରାଜନେତା ଏବଂ କଂପାନି ସିଇଓଙ୍କ ଭିଡ଼ ଦେଖିବାକୁ ମିଳୁଛି। ରାସ୍ତା‌ରେ ସୁଟ୍‌ ବୁଟ୍ ପିନ୍ଧା ଲୋକଙ୍କ ଚଳପ୍ରଚଳ ବଢ଼ିଯାଇଛି। ସାଧାରଣ ଦିନଗୁଡ଼ିକ ତୁଳନାରେ ତିନି ଗୁଣା ଅଧିକ ଲୋକ ଏତେ ସେହି ସହରରେ ରହୁଛନ୍ତି। ଡବ୍ଲୁଇଏଫରେ ଯୋଗ ଦେବାକୁ ଆସିଥିବା ଲୋକମାନଙ୍କ ପତ୍ନୀ ଓ ପ୍ରେମିକାମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସହରର ଏକମାତ୍ର ସମସ୍ୟା ହେଉଛି, ଏତେ ଅଧିକ ଲୋକଙ୍କୁ ରଖିବା ପାଇଁ ଆବଶ୍ୟକ ପରିମାଣର ହୋଟେଲ୍‌ ନାହିଁ। ସେଠାରେ ୧୦ଟି ମଧ୍ୟମ ଧରଣର ଏବଂ ୪୦ଟି କ୍ଷୁଦ୍ର ହୋଟେଲ୍‌ ରହିଛି। ମେଡିକାଲ୍ ପର୍ଯ୍ୟଟନ ବ୍ୟତୀତ ଶୀଳକାଳୀନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାରେ ମଧ୍ୟ ଏହି ସହରର ସୁନାମ ରହିଛି। କିନ୍ତୁ ଏହାକୁ ସବୁଠୁ ବଡ଼ ପରିଚୟ ଦେଇଛି ଡବ୍ଲୁଇଏଫ୍‌। ୧୯୭୧ ପର ଠାରୁ ପ୍ରତିବର୍ଷ ଜାନୁଆରିରେ ଏହି ସହର ଡବ୍ଲୁଇଏଫ୍ ସମ୍ମିଳନୀ ଆୟୋଜନ କରାଯାଉଛି।

ଭାରତ ଉପରେ ଭରସା ଅଛି, ବ୍ରାଣ୍ଡ୍‌ ଉପରେ ନାହିଁ
ଡାଭୋସ୍‌, ୨୧/୧: ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଳୁଇଏଫ୍) ସମ୍ମିଳନୀ ପୂର୍ବରୁ ଗ୍ଲୋବାଲ୍ ଟ୍ରଷ୍ଟ ଇଣ୍ଡେକ୍ସ (ବିଶ୍ବ ଭରସା ସୂଚୀ) ଜାରି କରାଯାଇଛି। ବିଶ୍ବର ଯେଉଁ କେତୋଟି ରାଷ୍ଟ୍ର ଉପରେ ଲୋକମାନଙ୍କ ଭରସା ରହିଛି ସେହି ତାଲିକାରେ ଭାରତ ନାମ ରହିଛି। ତେବେ ଭାରତର ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଲୋକମାନଙ୍କ ସେତେଟା ଭରସା ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।
ଅଧିକ ଭରସା କରାଯାଉଥିବା ରାଷ୍ଟ୍ର ତାଲିକାର ଶୀର୍ଷରେ ଚୀନ୍‌ ରହିଛି। ଜାଣିଥିବା ଲୋକ ଏବଂ ସାଧାରଣ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଜାଣିଥିବା ଲୋକ ବର୍ଗରେ ଚୀନ୍‌ର ସ୍କୋର ସର୍ବାଧିକ ୭୯ ହୋଇଥିବା ବେଳେ ସାଧାରଣ ଲୋକ ବର୍ଗରେ ୮୮ ରହିଛି। ଜାଣିଥିବା ଲୋକ ବର୍ଗରେ ଭାରତ ଦ୍ବିତୀୟ ଏବଂ ସାଧାରଣ ଲୋକ ବର୍ଗରେ ତୃତୀୟ ସ୍ଥାନରେ ରହିଛି। କଂପାନି କ୍ଷେତ୍ରରେ ଯେଉଁ କଂପାନିଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟ ସ୍ବିଜରଲ୍ୟାଣ୍ଡ୍‌, ଜର୍ମାନି ଏବଂ କାନାଡାରେ ରହିଛି ସେହି କଂପାନିଗୁଡ଼ିକର ବ୍ରାଣ୍ଡ୍‌କୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଭାରତ, ମେକ୍ସିକୋ ଏବଂ ବ୍ରାଜିଲର ବ୍ରାଣ୍ଡ୍‌ ଉପରେ ଲୋକଙ୍କ ଭରସା କମ୍ ରହିଛି। ଚୀନ୍ ଏବଂ କୋରିଆର ବ୍ରାଣ୍ଡ୍‌କୁ ଭଳ ଏତେ ଭଲ ଭାବେ ଗ୍ରହଣ କରାଯାଉନାହିଁ।
ପାରମ୍ପରିକ ଉତ୍ସରୁ ଆସୁଥିବା ଖବରକୁ ଲୋକମାନେ ଅଧିକ ବିଶ୍ବାସ କରୁଥିବା ବେଳେ ସାମାଜିକ ଗଣମାଧ୍ୟମ ଉପରେ କମ୍ ବିଶ୍ବାସ କରୁଛନ୍ତି। ମିଥ୍ୟା ଖବରକୁ ବିଭିନ୍ନ କାମରେ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାରୁ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର