ନୂଆଦିଲ୍ଲୀ: ଇନଷ୍ଟାଗ୍ରାମର ମୁଖ୍ୟ ଆଦମ ମୋସେରୀଙ୍କୁ ତ ଆପଣ ଜାଣିଥିବେ। ନିକଟରେ ସେ ସୋସିଆଲ ମିଡିଆରେ ନିଜ ସଂଘର୍ଷମୟ ଜୀବନ କାହାଣୀ ବିଷୟରେ ପ୍ରକାଶ କରିଛନ୍ତି। କିପରି ଭାବେ ସେ ଜଣେ ସାଧାରଣ ୱେଟର୍ରୁ ଇନ୍ଷ୍ଟାଗ୍ରାମ୍ର ସିଇଓ ବନିଗଲେ ତାହା ଆମ ସଭିଙ୍କ ପାଇଁ ପ୍ରେରଣାଦାୟକ।
୨୦୧୮ ମସିହା ଅକ୍ଟୋବର ମାସରୁ ଇନଷ୍ଟାଗ୍ରାମର ମୁଖ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି ମୋସେରୀ। ଆଦମ୍ ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ସେ ୱେଟର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।
ଆଦମଙ୍କ ଇନ୍ଷ୍ଟା ପୋଷ୍ଟ୍ରୁ ଜଣାପଡୁଛି ଯେ ସେ ପ୍ରଥମେ ୱେଟର୍ ଭାବେ କ୍ୟାରିୟର୍ ଆରମ୍ଭ କରି ତା’ପରେ ବାର୍ ଆଟେଣ୍ଡର୍, ଡିଜାଇନର୍ ଆଣ୍ଡ୍ ମ୍ୟାନେଜର୍, ପ୍ରଡକ୍ଟ ମ୍ୟାନେଜର ଓ ଶେଷରେ ଇନ୍ଷ୍ଟା ସିଇଓ ବନି ପାରିଛନ୍ତି।
ଆଦମ୍ ମୋସେରୀ କରିଥିବା ଏହି ଇନ୍ଷ୍ଟା ପୋଷ୍ଟ୍ରେ କିଛି ଘଣ୍ଟା ମଧ୍ୟରେ ୨୪୦୦ ଲାଇକ୍ ମିଳିବା ସହ ଅନେକ କମେଣ୍ଟ୍ ମଧ୍ୟ ମିଳିଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ତାଙ୍କର ନିଷ୍ଠା ଏବଂ ଉତ୍ସର୍ଗୀକୃତ ଗୁଣକୁ ବେଶ୍ ପସନ୍ଦ କରିଛନ୍ତି।
ତାଙ୍କର ଲିଙ୍କଡିନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଇନଫରମେସନ୍ ଡିଜାଇନ୍ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୨୦୦୮ ମସିହାରେ ସେ ଫେସବୁକରେ ପ୍ରଡକ୍ଟ ଡିଜାଇନର୍ ଭାବରେ ନିଯୁକ୍ତି ପାଇଥିଲେ। ତା’ପରେ ଧୀରେ ଧୀରେ ଆଗକୁ ବଢ଼ିବା ସହ ଆଜି ସେ ଇନଷ୍ଟାଗ୍ରାମର ମୁଖ୍ୟ ପାଲଟି ପାରିଛନ୍ତି।
ତାଙ୍କ ପୂର୍ବ ପୋଷ୍ଟ୍ରୁ ଜଣାପଡ଼ିଛି ଯେ ସେ ଲଣ୍ଡନରେ ଏକ ବର୍ଷ ବିତାଇବା ପରେ ଆମେରିକାକୁ ଫେରିଛନ୍ତି। ତେବେ ଇନଷ୍ଟାଗ୍ରାମର ନେତୃତ୍ବ ସେ ବ୍ରିଟେନର ରାଜଧାନୀରୁ ନେଇଥିଲେ।