କିଏ କହୁଛି ମହଙ୍ଗା ? ଜୁନରେ ଦେଶର ପେଟ୍ରୋଲ, ଡିଜେଲ ଚାହିଦା ୧୮ ନିୟୁତ ଟନକୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ମହଙ୍ଗା ରହିଛି । ଗତ କିଛିମାସ ଧରି ଦର କ୍ରମାଗତଭାବେ ବଢିଚାଲିଛି । ଏହାକୁ ନେଇ ସାରା ଦେଶରେ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କୁ ଗାଳି ଦେଉଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଆମ ଦେଶରେ ତେଲ ବ୍ୟବହାର କମିବ କଣ, ବଢିଚାଲିଛି । ନିକଟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଗତ ଜୁନ ମାସରେ ଦେଶରେ ପେଟ୍ରୋଲିୟମ ଇନ୍ଧନ ବ୍ୟବହାର ପ୍ରାୟ ୧୮ ନିୟୁତ ଟନକୁ ବୃଦ୍ଧି ପାଇଛି, ଯାହାକି ଗତ ବର୍ଷ ଜୁନ ମାସରେ ୧୬.୫୬ ନିୟୁତ ଟନ ଥିଲା । ଏହି ମାସରେ ପେଟ୍ରୋଲ ବିକ୍ରି ୧୪.୯ ପ୍ରତିଶତ ବୃଦ୍ଧି ପାଇ ୨.୩୭ ନିୟୁତ ଟନ ଥିବାବେଳେ ଡିଜେଲ ବିକ୍ରି ୭.୭୫ ପ୍ରତିଶତ ବୃଦ୍ଧି ପାଇ ୭.୩୨ ନିୟୁତ ଟନରେ ପହଞ୍ଚିଛି । ତେବେ ମେ ମାସରେ ଦେଶରେ ତେଲ ବିକ୍ରି ଅଭିବୃଦ୍ଧି ସାମାନ୍ୟ ଥିଲା । ପେଟ୍ରୋଲ ବିକ୍ରି ମାତ୍ର ୨ ପ୍ରତିଶତ ହାରରେ ବଢିଥିବାବେଳେ ଡିଜେଲ ବିକ୍ରି ସେତେଟା ବଢିନଥିଲା । ସୂଚନାଯୋଗ୍ୟ ଯେ ବିଶ୍ୱବଜାରରେ ତେଲଦର ବୃଦ୍ଧି ଯୋଗୁଁ ଭାରତରେ ମଧ୍ୟ ଦର କ୍ରମାଗତ ବଢିଚାଲିଥିଲା । କିନ୍ତୁ ଜୁନ ମାସରେ ଏହି ଦରବୃଦ୍ଧିରେ ଟିକିଏ ବିରାମ ଲାଗିଥିଲା ।

ସମ୍ବନ୍ଧିତ ଖବର