ଭୁବନେଶ୍ୱର: କେନ୍ଦ୍ର ସରକାର ପେଟ୍ରୋଲ୍ ଏବଂ ଡିଜେଲ ଉପରେ ୨ ଟଙ୍କାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟମାନେ ଏହି ଦୁଇ ଇନ୍ଧନ ଉପରୁ ଭାଟ୍ ୫% କମ୍ କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ। ଏହା ପରଠାରୁ କିଛି ଦିନ ଭିତରେ ପାଞ୍ଚଟି ରାଜ୍ୟ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ଭାଟ୍ କମ୍ କରିସାରିଲେଣି। ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟ ପ୍ରଦେଶ।
ପ୍ରଥମ ରାଜ୍ୟ ଭାବେ ଗୁଜରାଟ ପେଟ୍ରୋଲ୍ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିଥିଲା। ଗୁଜରାଟ ୪% ଭାଟ୍ ହ୍ରାସ କରିଛି। ଏହି ରାଜ୍ୟ ପେଟ୍ରୋଲ୍ ଏବଂ ଡିଜେଲ ଉପରେ ୨୮.୯୬%ର ଭାଟ୍ ଲଗାଇଛି। ସେହିପରି ମହାରାଷ୍ଟ୍ର ପକ୍ଷରୁ ପେଟ୍ରୋଲ୍ ଉପରୁ ୨ ଟଙ୍କାର ଭାଟ୍ ଏବଂ ଡିଜେଲ ଉପରୁ ୧ ଟଙ୍କାର ଭାଟ୍ ହ୍ରାସ କରାଯାଇଛି। ହିମାଚଳ ପ୍ରଦେଶ ୧% ଭାଟ୍ ହ୍ରାସ କରିଛି। ଉତ୍ତରାଖଣ୍ଡ ସରକାର ଏହି ଦୁଇ ଇନ୍ଧନ ଉପରୁ ୨% ଭାଟ୍ ହ୍ରାସ କରିଛନ୍ତି।
ଆଜି ମଧ୍ୟ ପ୍ରଦେଶ ସରକାର ପେଟ୍ରୋଲ୍ ଉପରୁ ୩% ଏବଂ ଡିଜେଲ ଉପରୁ ୫%ର ଭାଟ୍ ହ୍ରାସ ଘୋଷଣା କରିଛନ୍ତି। ଏହି ସବୁ ରାଜ୍ୟଗୁଡ଼ିକ ଭାଟ୍ ହ୍ରାସ କରିଥିବାରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଇବେ। ମାତ୍ର ଗ୍ରାହକମାନଙ୍କୁ କିଛି ଟଙ୍କାର ଲାଭ ପ୍ରଦାନ କରିବା ପାଇଁ ସେମାନେ ଭାଟ୍ ହ୍ରାସ କରିବା ଭଳି କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ପେଟ୍ରୋଲ୍ ଏବଂ ଡିଜେଲ ଉପରେ ୨୬%ର ଭାଟ୍ ଲାଗୁ କରାଯାଇଛି। ଏହି ଦୁଇ ଇନ୍ଧନ ଉପରୁ ଭାଟ୍ ହ୍ରାସ କରିବାର କୌଣସି ସମ୍ଭାବନା ନାହିଁ ବୋଲି ଓଡ଼ିଶା ସରକାର ସ୍ପଷ୍ଟ କରିସାରିଛନ୍ତି। କିଛି ଦିନ ତଳେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଏକଥା କହିଥିଲେ। ପ୍ରତିବର୍ଷ ଭାଟ୍ ବାବଦରେ ଓଡ଼ିଶା ୨୪୦୦ କୋଟି ଟଙ୍କାର ରାଜସ୍ୱ ପାଉଛି। ଯଦି ଏହା ପେଟ୍ରୋଲ୍ ଏବଂ ଡିଜେଲ ଉପରେ ୫% ଭାଟ୍ ହ୍ରାସ କରିବ ତେବେ ୧୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ। ଯେଉଁଠାରେ ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ବିପୁଳ କ୍ଷତି ସହି ଭାଟ୍ କମାଇଛନ୍ତି, କିନ୍ତୁ ୧୦୦ କୋଟି ଟଙ୍କାର କ୍ଷତି ସହି ଭାଟ୍ କମ୍ କରିବାକୁ ଓଡ଼ିଶା ଚାହୁଁନାହିଁ।
୨୦୧୪ ଡିସେମ୍ବରରେ ଓଡ଼ିଶା ସରକାର ପେଟ୍ରୋଲ୍, ଡିଜେଲ ଉପରେ ଭାଟ୍ ପରିମାଣ ୨୦%ରୁ ବଢ଼ାଇ ୨୩% କରିଥିଲେ। ଏହା ପରେ ୨୦୧୬ ଜାନୁଆରିରେ ତାହାକୁ ୨୩%ରୁ ବଢ଼ାଇ ୨୬% କରିଥିଲେ।
ଭାଟ୍ ହ୍ରାସ କରିଥିବା ରାଜ୍ୟ ମହାରାଷ୍ଟ୍ର ବର୍ଷକୁ ୩୦୬୭ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ। ମହାରାଷ୍ଟ୍ର ଏ ବାବଦରେ ବର୍ଷକୁ ୧୯ ହଜାର କୋଟି ଟଙ୍କା ପାଉଥିଲା। ସେହିପରି ଭାଟ୍ ହ୍ରାସ କରିଥିବାରୁ ଗୁଜରାଟ ବର୍ଷକୁ ୨୩୧୬ କୋଟି ଟଙ୍କାର ରାଜସ୍ୱ ହରାଇବ। ଏହି ଦୁଇ ବଡ଼ ରାଜ୍ୟ ଯଦି ରାଜସ୍ୱ କ୍ଷତି ସହି ଭାଟ୍ ହ୍ରାସ କରିପାରୁଛନ୍ତି, ତେବେ ଓଡ଼ିଶା ପାଖରେ ମଧ୍ୟ ଭାଟ୍ ହ୍ରାସ କରିବାର ସୁଯୋଗ ରହିଛି ବୋଲି କୁହାଯାଇପାରିବ। ତେବେ ରାଜ୍ୟ ସରକାର ଏ ବାବଦରେ କେବେ ଘୋଷଣା କରିବେ ତାହାକୁ ସାଧାରଣ ଜନତା ଅପେକ୍ଷା କରି ରହିଛନ୍ତି। ପେଟ୍ରୋଲ୍ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ ହେଲେ ତାହା ଆଉ କିଛି ଟଙ୍କା ଶସ୍ତା ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟ ପକ୍ଷରୁ ପେଟ୍ରୋଲ୍ ଏବଂ ଡିଜେଲ ଉପରେ ୨୫%ରୁ ଆରମ୍ଭ କରି ୪୦% ପାଖାପାଖି ଭାଟ୍ ଲାଗୁ କରାଯାଇଛି।