ଜୁଲାଇ ୫ରେ ପୂର୍ଣ୍ଣାଙ୍ଗ ବଜେଟ୍‌

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୭ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଜୁଲାଇ ୨୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମ ଦୁଇ ଦିନ ସାଂସଦମାନେ ଶପଥ ‌ନେବେ। ଜୁନ୍ ୧୯ ତାରିଖ ଦିନ ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ। ଜୁଲାଇ ୪ ତାରିଖ ଦିନ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଏବଂ ୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ବୋଲି ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ବଜେଟ୍‌ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିବ ‌ବୋଲି କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ବଜେଟ୍ ଉପସ୍ଥାପନ କରିବେ। ଉଲ୍ଲେଖଯୋଗ୍ୟ ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରି ୧ ତାରିଖରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର