ସମ୍ପୂର୍ଣ୍ଣ ଡିଜିଟାଲ୍‌ ବ୍ୟାଙ୍କକୁ ଶକ୍ତିକାନ୍ତଙ୍କ ନା, ବ୍ୟାଙ୍କ ବ୍ୟବସ୍ଥା ପ୍ରତି ବିପଦ ଆଶଙ୍କା

ମୁମ୍ବାଇ : ଦେଶରେ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟାଙ୍କ ଖୋଲିବା ପ୍ରସ୍ତାବ ସହିତ ରିଜର୍ଭ ବ୍ୟାଙ୍କ ସହମତ ନାହିଁ। ଗତବର୍ଷ ନିତି ଆୟୋଗ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା। ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏ ସଂପର୍କରେ କେନ୍ଦ୍ରୀୟ ବ୍ୟାଙ୍କର ମତ ସ୍ପଷ୍ଟ କରିଛନ୍ତି। ‌କେବଳ ଡିଜିଟାଲ ବ୍ୟାଙ୍କ ଖୋଲିଲେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରତି ବିପଦ ରହିଛି ବୋଲି ସେ ମତ ଦେଇଛନ୍ତି। ତେବେ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଂ ପ୍ରତିଷ୍ଠାନ ଗୁଡ଼ିକ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

ଶକ୍ତିକାନ୍ତ କହିଛନ୍ତି, ଆମେ ଡିଜିଟାଲ ବ୍ୟାଙ୍କ ସଂପର୍କରେ ପ୍ରସ୍ତାବ ପାଇଥିଲୁ। କିନ୍ତୁ ଏହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଗଲେ କେତେଟା ବିପଦ ରହିଛି। ତେଣୁ ବର୍ତ୍ତମାନ ଏହି ପ୍ରସ୍ତାବକୁ ଆମେ ଗ୍ରହଣ କରିନାହୁଁ। ଏଥିସହିତ ବର୍ତ୍ତମାନ କିଣନ୍ତି ପରେ ଅର୍ଥ ପ୍ରଦାନ କରନ୍ତୁ (ବାଏ ନାଓ ପେ ଲାଟର) ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରିତ କରିବା ଯୋଜନା ରଖିନାହିଁ। ସାଧାରଣତଃ ଇ-କମର୍ସ କମ୍ପାନି ଗୁଡ଼ିକ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଏହା ଏକ ପ୍ରକାର ଋଣ ପ୍ରଦାନ କାର୍ଯ୍ୟ। ଏ ନେଇ ଆମେ ଯତ୍ନବାନ ହେବା ଉଚିତ। କିନ୍ତୁ ସବୁ କ୍ଷେତ୍ରରେ ହସ୍ତକ୍ଷେପ ଠିକ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର