ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଧିକରୁ ଅଧିକ ସମ୍ପତ୍ତି ସୃଷ୍ଟି କରିବା ଉପରେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଗୁରୁତ୍ୱ ପ୍ରଦାନ କରୁଛି। ସମ୍ପତ୍ତି ସୃଷ୍ଟି ଉଦ୍ଦେଶ୍ୟରେ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆଯାଉଛି, ତାହାକୁ ଫାଇନାନ୍ସ କରିବା ପାଇଁ ନାବାର୍ଡ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଏମ୍ କେ ମୁଦ୍ଗଲ୍ ବ୍ୟାଙ୍କଗୁଡ଼ିକୁ ଆହ୍ଵାନ ଦେଇଛନ୍ତି। ବିଶେଷ କରି ଲଘୁ ଜଳସେଚନ ଏବଂ ସେହି ଧରଣର ପ୍ରକଳ୍ପଗୁଡ଼ିକୁ ପାଣ୍ଠି ସହାୟତା ଯୋଗାଇ ଦେବା ପାଇଁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ଚଳିତ ବର୍ଷ ବଜେଟ୍ରେ କୃଷି କ୍ଷେତ୍ରକୁ ୧୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ତାହାର ୩୦-୩୫% ଭାଗ ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି ପାଇଁ ପ୍ରଦାନ କରଯିବା ଦରକାର। ଫସଲ ଏବଂ ଚାଷ କାମ ପାଇଁ ଦିଆଯାଉଥିବା ଋଣର ଲାଭ କ୍ଷଣ ସ୍ଥାୟୀ। କିନ୍ତୁ ସମ୍ପତ୍ତି ସୃଷ୍ଟି ପାଇଁ ଆବଣ୍ଟନ କରାଯାଉଥିବା ଋଣର ଲାଭ ଦୀର୍ଘ ସମୟ ପର୍ଯ୍ୟନ୍ତ ମିଳିଥାଏ ବୋଲି ସେ କହିଛନ୍ତି।
ଶ୍ରୀ ମୁଦଗଲ୍ କହିଲେ, ରାଜ୍ୟର ଚାଷୀମାନଙ୍କୁ ବଜାର ସହାୟତା ପ୍ରଦାନ କରିବା ପାଇଁ ନାବାର୍ଡ ପକ୍ଷରୁ ୧୦୦ ଚାଷୀ ଉତ୍ପାଦନକାରୀ ସଂଗଠନ (ଏଫ୍ପିଓ) ଗଠନ କରାଯାଇଛି। ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ଦେଶରେ ୮୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗଠନ କରାଯାଇଛି। ଏସ୍ଏଚ୍ଜିଗୁଡ଼ିକର କାଗଜପତ୍ର ଡିଜିଟାଇଜେସନ୍ କରିବା ପାଇଁ ନାବାର୍ଡ ପକ୍ଷରୁ ଇ-ଶକ୍ତି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରେ ଓଡ଼ିଶାର ୬ଟି ଜିଲ୍ଲା-ଭଦ୍ରକ, କଟକ, ଯାଜପୁର, ଢ଼େଙ୍କାନାଳ, ରାୟଗଡ଼ା ଏବଂ ସମ୍ବଲପୁରକୁ ସାମିଲ କରାଯାଇଛି। ଏହି ସବୁ ଜିଲ୍ଲାରେ ମୋଟ ୫୧,୨୮୨ ଏସ୍ଏଚ୍ଜି ରହିଛି। ସେଥି ମଧ୍ୟରୁ ଚଳିତ ମାସ ୭ ତାରିଖ ସୁଦ୍ଧା ୧୫୪୭୫ଟି ଏସ୍ଏଚ୍ଜିର ଡିଜିଟାଇଜେସନ୍ ଶେଷ ହୋଇଛି। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚାଷ ଉପରେ ପାଣିପାଗ ପରିବର୍ତ୍ତନ ପ୍ରଭାବର ମୁକାବିଲା କରିବା ପାଇଁ ନାବାର୍ଡ ପକ୍ଷରୁ ନ୍ୟାସନାଲ୍ ଆଡାପ୍ଟେସନ୍ ଫଣ୍ଡ୍ ଫର କ୍ଲାଇମେଟ୍ ଚେଞ୍ଜ୍ ଏବଂ ଗ୍ରିନ୍ କ୍ଲାଇମେଟ୍ ଫଣ୍ଡ୍ ନାମକ ଦୁଇଟି ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ବୋଲି ଶ୍ରୀ ମୁଦ୍ଗଲ୍ କହିଛନ୍ତି। ଏହି ଅବସରରେ ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ସିଜିଏମ୍ ଡକ୍ଟର କେ ସି ପାଣିଗ୍ରାହୀ ଉପସ୍ଥିତ ଥିଲେ।