ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରୁ ପୁଣି ଥରେ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏଥର ସରକାର କମ୍ପାନିର ୬.୫ ପ୍ରତିଶତ ଅଂଶଧନ ବିକିବେ। ସେଥିରୁ ୮୮୦୦-୧୩୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବା ଆଶା କରାଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଅଂଶଧନ ବିକ୍ରି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଧାର୍ଯ୍ୟ କରିଥିବା ସାର୍ବଜନୀନ ଅଂଶଧନ ନିୟମ ପାଳନ କରିବା ଲାଗି କମ୍ପାନିରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। 

Advertisment

‘ସେବି’ ନିୟମ ଅନୁସାରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିରେ ଅତିକମ୍‌ରେ ୧୦ ପ୍ରତିଶତ ଅଂଶଧନ ସାର୍ବସାଧାରଣଙ୍କ ପାଖରେ ରହିବା ଦରକାର। ସେହି ନିୟମ ପାଳନ କରିବା ଲାଗି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ପାଞ୍ଚ ବର୍ଷ ସମୟ ଦିଆଯାଇଛି। ପୂର୍ବରୁ ୨୦୨୨ ମେ’‌‌ରେ ଏଲ୍‌ଆଇସିର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୩.୫ ପ୍ରତିଶତ ଅଂଶଧନ ବିକ୍ରି କରାଯାଇଥିଲା। ସେଥିରୁ ସରକାର ୨୦,୫୫୭ କୋଟି ଟଙ୍କା ପାଇଥିଲେ। ସେବି ନିୟମ ପାଳନ କରିବାକୁ ହେଲେ ୨୦୨୭ ମେ’ ସୁଦ୍ଧା ସରକାରଙ୍କୁ କମ୍ପାନିର ଆଉ ୬.୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପଡ଼ିବ। ଅବଶ୍ୟ ଏହି ନିୟମ ପାଳନ କରିବାକୁ ଏଲ୍‌ଆଇସିକୁ ‘ସେବି’ ପକ୍ଷରୁ ୨୦୩୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ବର୍ତ୍ତମାନ ଏଲ୍‌ଆଇସିରେ କେନ୍ଦ୍ର ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛି। ‌ଆଗାମୀ ଦିନରେ କମ୍ପାନିରୁ ଏକକାଳୀନ ପୁଞ୍ଜିପ୍ରତ୍ୟାହାର ନ କରି ଅଳ୍ପ ଅଳ୍ପ ପରିମାଣର ଅଂଶଧନ ବିକ୍ରି କରିବା ବିକଳ୍ପ ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ୨୦୨୨ରେ ଏଲ୍‌ଆଇସି ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ବେଳେ ତାହାର ସେୟାର ପିଛା ଦାମ୍ ୯୪୯ ଟଙ୍କା ଥିଲା। ଏବେ ସେହି ମୂଲ୍ୟ ତା’ଠାରୁ କମ୍ ୯୦୦.୭୦ ଟଙ୍କା ରହିଛି।