ମୁମ୍ବାଇ: ଫ୍ୟୁଚର୍ ଗ୍ରୁପ୍ ଅଧୀନରେ ଥିବା ୨୦୦ଟି ଷ୍ଟୋର୍କୁ ନିଜ କବ୍ଜାକୁ ନେଇଥିବା ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍ ଆସନ୍ତା ସପ୍ତାହରେ ଆଉ ୨୫୦ଟି ଷ୍ଟୋର୍କୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ହାସଲ କରିଥିବା ୨୦୦ଟି ଷ୍ଟୋର୍ରେ ଏବେ ରିଲାଏନ୍ସ ବ୍ରାଣ୍ଡ୍ ପରିଚୟ ପରିବର୍ତ୍ତନ କରିବା କାର୍ଯ୍ୟ କରୁଛି। ସେଥିପାଇଁ ଫ୍ୟୁଚର୍ ଗ୍ରୁପ୍ର ବିଭିନ୍ନ ଷ୍ଟୋର୍ ବିଶେଷ କରି ବିଗ୍ବଜାରଗୁଡ଼ିକ ବନ୍ଦ ରହିଛି। ଅନଲାଇନ୍ କାରବାର ମଧ୍ୟ ଅଟକି ଯାଇଛି। ରିଲାଏନ୍ସ ପକ୍ଷରୁ ଫ୍ୟୁଚର୍ ଗ୍ରୁପ୍ର ଷ୍ଟୋର୍ଗୁଡ଼ିକୁ ରିଲାଏନ୍ସ ଷ୍ଟୋର୍ ଭାବେ ରୂପାନ୍ତରିତ କରାଯାଉଛି। ଏହି କାର୍ଯ୍ୟ ସପ୍ତାହରୁ ଅଧିକ ସମୟ ଧରି ଚାଲିପାରେ ବୋଲି ଅନୁମାନ କରାଯାଉଛି। ଯଦି ତାହା ହୋଇଥିବ ତେବେ ବିଗ୍ ବଜାର ଷ୍ଟୋର୍ଗୁଡ଼ିକ ଏକ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ବନ୍ଦ ରହିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଫ୍ୟୁଚର ଗ୍ରୁପ୍ କିମ୍ବା ରିଲାଏନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଟ୍ବିଟର୍ରେ ଜଣେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତରରେ ବିଗ୍ ବଜାର ପକ୍ଷରୁ କୁହାଯାଇଛି ଯେ ଦୁଇ ଦିନ ଷ୍ଟୋର୍ ବନ୍ଦ ରହିବ।
ମାତ୍ର ରିବ୍ରାଣ୍ଡିଂ ଏଭଳି ଏକ କାର୍ଯ୍ୟ ଯାହା ଦୁଇ ଦିନରେ ଶେଷ ହେବାର କମ୍ ସମ୍ଭାବନା ରହିଛି। ତେଣୁ ଷ୍ଟୋର୍ଗୁଡ଼ିକ ଅଧିକ ଦିନ ବନ୍ଦ ରହିପାରେ। ୨୦୨୦ରେ ଫ୍ୟୁଚର ଗ୍ରୁପ୍ ଏହାର ରିଟେଲ୍ ବ୍ୟବସାୟକୁ ପ୍ରାୟ ୨୪ ହଜାର କୋଟି ଟଙ୍କାରେ ରିଲାଏନ୍ସ ରିଟେଲ୍କୁ ବିକ୍ରି କରିବ ବୋଲି ଚୁକ୍ତି କରିଥିଲା। ମାତ୍ର, ତାହା ଉପରେ ଆମାଜନ୍ ଆପତ୍ତି ଉଠାଇବାରୁ ସେହି କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। କୋର୍ଟରେ ମାମଲା ବିଚାରଧୀନ ରହିଛି। ଏବେ ଯେଉଁଭଳି ଭାବେ ଫ୍ୟୁଚର୍ ଗ୍ରୁପ୍ର ଷ୍ଟୋର୍ଗୁଡ଼ିକୁ ରିଲାଏନ୍ସ ନିଜ ଅକ୍ତିଆରକୁ ଆଣୁଛି ତାହା ଆମାଜନ୍କୁ ଚିନ୍ତାରେ ପକାଇଛି। ଖୁବ୍ଶୀଘ୍ର ଏହା ବିରୋଧରେ ଆମାଜନ ଅଦାଲତରେ ଆବେଦନ କରିବ ବୋଲି କୁହାଯାଉଛି। ମାତ୍ର, ସେଥିରେ ଆମାଜନକୁ ସେତେଟା ସଫଳତା ମିଳିନପାରେ। କାରଣ ରିଲାଏନ୍ସ କେବଳ ସେହି ଷ୍ଟୋର୍ଗୁଡ଼ିକୁ ନିଜ ଅକ୍ତିଆରକୁ ଆଣୁଛି ଯେଉଁଥିପାଇଁ ତାହା ଭଡ଼ା ଦେଉଥିଲା। ଫ୍ୟୁଚର ଗ୍ରୁପ୍ ଅଧୀନରେ ବିଗ୍ ବଜାର, ବ୍ରାଣ୍ଡ୍ ଫ୍ୟାକ୍ଟରି ଓ ସେଣ୍ଟ୍ରାଲ ନାମରେ ୧୭୦୦ରୁ ଅଧିକ ଷ୍ଟୋର୍ ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଫ୍ୟୁଚର୍ର ଏକ ତୃତୀୟାଂଶ ଷ୍ଟୋର୍କୁ ରିଲାଏନ୍ସ ନିଜ କବ୍ଜାକୁ ଆଣିବାର ସମ୍ଭାବନା ରହିଛି।