ରୁଷ୍‌ ସୁନା ଉପରେ ଜି-୭ର କଟକଣା

ନୂଆଦିଲ୍ଲୀ: ରୁଷ୍‌ର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଥିବା ସୁନା ଜରିଆରେ ‌ହେଉଥିବା କାରବାର ଉପରେ ଶକ୍ତିଶାଳୀ ଜି-୭ ରାଷ୍ଟ୍ର ସମୂହ କଟକଣା ଲଗାଇଛି। ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ରୁଷ୍‌ ଉପରେ ଅଧିକ ଚାପ ସୃଷ୍ଟି କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘ ଲଗାଇଥିବା କଠୋର ଆର୍ଥିକ କଟକଣାକୁ ସୁନା ଜରିଆରେ ଏଡ଼ାଇବାରେ ରୁଷ୍‌ ଯେଭଳି ସଫଳ ନହେବ ତାହା ନିଶ୍ଚିତ କରିବା ଲାଗି ଜି-୭ ର‌ା‌ଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରୁଷ୍‌ କେନ୍ଦ୍ରୀୟ ବ୍ୟାଙ୍କ ‘ବ୍ୟାଙ୍କ ଅଫ୍‌ ରୁଷିଆ’ ପାଖରେ ୧୩୦ ନିୟୁତ ଡଲାର ମୂଲ୍ୟର ସୁନା ରହିଛି। ଆହୁରି ସୁନା କିଣିବା ଲାଗି ଏହା ଉଦ୍ୟମ ଆରମ୍ଭ କରିଛି। ଆର୍ଥିକ କଟକଣା ସମ‌ୟରେ କାରବାର ପାଇଁ ସୁନାକୁ ଏକ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରାଯାଏ। ମୁଦ୍ରା ବଦଳରେ ତାହାକୁ ସବୁ ଦେଶ ସହଜରେ ଗ୍ରହଣ କରିଥାନ୍ତି। ଏମିତିରେ ଡଲାର କାରବାର ଉପରେ କଟକଣା ଲଗାଯାଇଥିବାରୁ ରୁଷ୍‌ର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଅଧା ମୁଦ୍ରା ନିସ୍କ୍ରିୟ ହୋଇପଡ଼ିଛି। ଏଭଳି ସମୟରେ ସୁନା ହିଁ ରୁଷ୍‌ ପାଇଁ କାରବାର ଜାରି ରଖିବାର ଅନ୍ୟତମ ମାଧ୍ୟମ ହୋଇରହିଛି। ସେହି କ୍ଷମତାକୁ ସଙ୍କୁଚିତ କରିବା ଲାଗି ଜି୭ ରାଷ୍ଟ୍ରଗୁଡ଼ିକ ସୁନା କାରବାର ଉପରେ କଟକଣା ଜାରି କରିଛନ୍ତି। କୌଣସି ପରିସ୍ଥିତିରେ ଯେଭଳି କଟକଣାକୁ ଏଡ଼ାଇବାରେ ରୁଷ ସଫଳ ନହୁଏ, ତାହା ନିଶ୍ଚିତ କରିବା ଲାଗି ଜି-୭ ଓ ୟୁରୋପୀୟ ସଂଘ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର